ଉଦ୍ଧବ କ୍ୟାବିନେଟର ବଡ଼ ନିଷ୍ପତ୍ତି; ଔରଙ୍ଗାବାଦ ଓ ଉସ୍ମାନାବାଦ ସହରର ନାଁ ବଦଳିଲା

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବ କ୍ୟାବିନେଟରେ ବଡ ନିଷ୍ପତ୍ତି ନିଆଯାଇଛି । ଉଦ୍ଧବଙ୍କ ସରକାର ଟଳମଳ ସ୍ଥିତିରେ ରହିଛି  । ହେଲେ କ୍ୟାବିନେଟରେ ତିନି ବଡ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଉଦ୍ଧବ । ମହାରାଷ୍ଟ୍ରର ଦୁଇ ପୂରାତନ ସହରର ନାଁ ବଦଳାଇଛନ୍ତି  । କ୍ୟାବିନେଟରେ ତିନୋଟି ସ୍ଥାନର ବଦଳାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଔରଙ୍ଗାବାଦ ଜିଲ୍ଲାର ନାଁ ବଦଳାଇ ସାମ୍ଭାଜୀ ନଗର କରିଦିଆଯାଇଛି । ସେହିପରି ଉସ୍ମାନାବାଦର ନାଁ ବଦଳାଇ ଧାରାଶିବ କରାଯାଇଛି । ଏହା ବ୍ୟତୀତ ନବୀ ମୁମ୍ବାଇ ବିମାନବନ୍ଦରର ନାଁ ବଦଳାଇ ଡିୱାଇ ପାଟିଲ ବିମାନବନ୍ଦର ରଖାଯାଇଛି । କ୍ୟାବିନେଟ ବୈଠକ ପରେ ଉଦ୍ଧବ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ  । ଏଥିସହ କହିଥିଲେ ମୋତେ ନିଜ ଲୋକ ଧୋକା ଦେଲେ  । ସୂଚନା ଥାଉକି ବାଲାସାହେବ ଠାକରେ ବଞ୍ଚିଥିବା ସମୟରେ ଔରଙ୍ଗାବାଦର ନାଁ ବଦଳାଇବା ପାଇଁ ଲଗାତାର ଦାବି କରିଆସୁଥିଲେ  । ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ଉଦ୍ଧବଙ୍କ ପକ୍ଷରୁ ଏହି ସହରଗୁଡିକର ନାଁ ବଦଳାଯାଇଥିବା ଆଶଙ୍କା କରାଯାଉଛି  ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୈଠକରୁ କଂଗ୍ରେସ କୋଟାର ଦୁଇ ମନ୍ତ୍ରୀ ବର୍ଷା ଗାୟକ୍ୱାଡ ଏବଂ ଅସଲମ ଶେଖ ନାରାଜ ହୋଇ ବାହାରକୁ ଚାଲିଯାଇଥିଲେ  । ଔରଙ୍ଗାବାଦର ନାଁ ସମ୍ଭାଜୀ ନଗର ରଖାଯିବା ନେଇ ନାରାଜ ହୋଇଥିବା ସୂଚନା । ଅବଶ୍ୟ ବର୍ଷା ଗାୟକ୍ୱାଡ ଗଣମାଧ୍ୟମକୁ କହିଥିଲେ, କିଛି କାଗଜ ପତ୍ର ଆଣିବାକୁ ଯାଉଛନ୍ତି ନା କି ନାରାଜ ହୋଇ  ।

ଅନ୍ୟପକ୍ଷରେ ଗୌହ୍ୱାଟିରୁ ବିଦ୍ରୋହୀ ବିଧାୟକ ଗୋଆ ଅଭିମୁଖେ ବାହାରି ଗଲେଣି  । ଗୋଆରୁ ସେମାନେ ଆସନ୍ତାକାଲି ଫ୍ଲୋର ଟେଷ୍ଟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏପଟେ ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ଆଦେଶକୁ ବିରୋଧ କରି ଉଦ୍ଧବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏବେ ମାମଲରା ଶୁଣାଣି ଚାଲିଛି  । ସୁପ୍ରିମକୋର୍ଟ ଫ୍ଲୋର ଟେଷ୍ଟ ଉପରେ ରୋକ୍ ଲଗାଇବେ କି ଉଦ୍ଧବଙ୍କ ଆବେଦନକୁ ଖାରଜ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି  । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯଦି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଫ୍ଲୋର ଟେଷ୍ଟ ପାଇଁ ଅନୁମତି ମିଳିଯାଏ ତେବେ ସେ ଇସ୍ତଫା ଦେଇ ଦେବେ  । ଆସ୍ଥା ଭୋଟର ସମ୍ମୁଖୀନ ହେବେନି  ବୋଲି ଉଦ୍ଧବ କହିଛନ୍ତି  ।