ଉଦ୍ଧବ ଦେଲେ ନୂଆ ଦଳ ଓ ଚିହ୍ନ ପାଇଁ ନିର୍ବାଚନ ଆୟୋଗଙ୍କୁ ଦୁଇଟି ନାଁ

ମୁମ୍ବାଇ: ଶିବସେନା କାହାର ଫାଇଟରେ ନିର୍ବାଚନ ଆୟୋଗଙ୍କ ହସ୍ତକ୍ଷେପ ପରେ ମହାରାଷ୍ଟ୍ର ପଲିଟିକ୍ସରେ ନୂଆ ଟୁଇଷ୍ଟ । ଶିବସେନା ଚିହ୍ନ ଓ ନାଁ ଉପରେ ଇସିଙ୍କ ରୋକ ପରେ ଦୁଇଟି ଦଳୀୟ ନାଁ ପ୍ରସ୍ତାବ ଦେଇଛନ୍ତି ଠାକରେ ଗୋଷ୍ଠୀ । ପ୍ରଥମଟି ଶିବସେନା ବାଲାସାହେବ ଠାକରେ ଓ ଦ୍ବିତୀୟଟି ଶିବସେନା ଉଦ୍ଧବ ବାଲାସାହେବ ଠାକରେ  ରହିଛି । ଏବେ ନିର୍ବାଚନ ଆୟୋଗ ସ୍ଥିର କରିବେ ଉଦ୍ଧବଙ୍କୁ ଦଳର ନାଁ ଓ ଚିହ୍ନ କ’ଣ ମିଳିବ ।

ସୂଚନାଯୋଗ୍ୟ, ଶିବସେନା ଦୁଇ ଫାଳ ହେବା ପରେ ନାଁ ଓ ଚିହ୍ନ ଧନୁ ତୀର ବ୍ୟବହାର ଉପରେ ଗତକାଲି ରୋକ ଲଗାଇଥିଲେ ନିର୍ବାଚନ ଆୟୋଗ । ଠାକରେ ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ ନତୁଟିବା ଯାଏଁ ନିର୍ବାଚନ ଆୟୋଗ ଦଳୀୟ ଚିହ୍ନକୁ ଫ୍ରିଜ କରି ଦେଇଛନ୍ତି । ଅନ୍ଧେରୀ ଇଷ୍ଟରେ ନଭେମ୍ବରରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ଉଭୟ ଠାକରେ ଓ ସିନ୍ଦେ ଗୋଷ୍ଠୀ ପାର୍ଟି ସିମ୍ବଲ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ । ମାତ୍ର ନିର୍ବାଚନ ଆୟୋଗ ଦଳୀୟ ଚିହ୍ନ ବ୍ୟବହାର ଉପରେ ରୋକ ନେଇ ଅନ୍ତରୀଣ ଆଦେଶ ଜାରି କରିଥିଲେ । ଏହାସହ ଦୁଇ ଗୋଷ୍ଠୀ ଦୁଇଟି ଭିନ୍ନ ଦଳୀୟ ଚିହ୍ନ ଚୟନ କରିବାକୁ ଇସି କହିଥିଲେ । ନିର୍ବାଚନ କମିସନଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଠାକରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଜଣାପଡ଼ିଛି । ଆଜି ଦିନ ୧୨ଟାରେ ଠାକରେ ଗୋଷ୍ଠୀଙ୍କ ବୈଠକ ବସିବ । ସେହିପରି ସନ୍ଧ୍ୟା ୭ଟାରେ ଏ ନେଇ ବୈଠକ କରିବ ସିନ୍ଦେ ଗୋଷ୍ଠୀ ।

ଠାକରେ ଓ ସିନ୍ଦେ ଗୋଷ୍ଠୀ ଅଲଗା ହେବା ପରେ ଦଳୀୟ ଚିହ୍ନ ଓ ନାଁକୁ ନେଇ ବିବାଦ ଉପୁଜିଥିଲା । ତେବେ ନିର୍ବାଚନ ଆୟୋଗ ଏ ଦିଗରେ ଅନ୍ତିମ ନିଷ୍ପତ୍ତି ନେବାକୁ କହିଥିଲେ ମାନ୍ୟବର ସୁପ୍ରିମକୋର୍ଟ ।