ଫେସବୁକ୍ ଲାଇଭରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ଉଦ୍ଧବ

ମୁମ୍ବାଇ: ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ  । ଫେସବୁକ୍ ଲାଇଭ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଠାକରେ । ତାଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ମହାନାଟକର ଅନ୍ତ ଘଟିଛି । କିଛି ସମୟ ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କ ବିପରୀତରେ ରାୟ ଶୁଣାଇଥିଲେ । ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ଆଦେଶ ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ସୁପ୍ରିମୋକୋର୍ଟ ଆବେଦନର ଶୁଣାଣି କରି ଫ୍ଲୋର ଟେଷ୍ଟ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ । ପୂର୍ବ ଆଦେଶ ଅନୁସାରେ କାଲି ଫ୍ଲୋର ଟେଷ୍ଟ ହେବ ବୋଲି କହିଥିଲେ । ସୁପ୍ରିମକୋର୍ଟଙ୍କ ଏହି ରାୟର ଠିକ୍ ପରେ ଉଦ୍ଧବ ଠାକରେ ଇସ୍ତଫା ଘୋଷଣା କରିଛନ୍ତି । ଅର୍ଥାତ କାଲି ତାଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ଥ କରିବାକୁ ପଡିବନାହିଁ  । ତେବେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦ ସହ ବିଧାନସଭା ପରିଷଦରୁ ମଧ୍ୟ ଇସ୍ତଫା ଘୋଷଣା କରିଛନ୍ତି  । ନିୟମ ଅନୁସାରେ ସେ ନିଜର ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେବେ  । ଏଥିପାଇଁ ସେ ରାଜଭବନ ଅଭିମୁଖେ ଗସ୍ତ କରିଛନ୍ତି  । ୧୯ ମାସ ଗୋଟେ ଦିନ ସେ ମୁଖ୍ୟମନ୍ତ୍ରୀ ପଦ ଭାର ସମ୍ଭାଳିଥିଲେ  ।

  ନିଜ ଫେସବୁକ ଲାଇଭରେ ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ କରୁଛି  । ମୋ ପାଖରେ ଶିବସେନା ଅଛି  । ଶିବସେନା ଆମଠାରୁ କେହି ଛଡାଇ ପାରିବେ ନାହିଁ  । ମୁଁ ଚାହୁଁନି କି ଶିବସୈନିକ ରାସ୍ତାକୁ ଆସନ୍ତୁ  । ଯେଉଁ ମାନଙ୍କୁ ମୁଁ ସବୁକିଛି ଦେଇଥିଲି ସେମାନେ ମୋ ସହ ବିଶ୍ୱାସଘାତକ କଲେ  । ଯେଉଁମାନଙ୍କୁ କିଛି ଦେଇ ନଥିଲି ସେମାନେ ମୋ ସହ ଛିଡା ହୋଇଛନ୍ତି  । ପ୍ରତ୍ୟେକ ଶିବସୈନିକଙ୍କ ସହ ମୁଁ ଆଗକୁ ରହିବି  । ଉଦ୍ଧବ ଇମୋସନାଲ ହୋଇ କହିଥିଲେ ଯାହାକୁ ଶିବସେନା ଓ ବାଲାସାହେବ ବଡ କରିଥିଲେ ସେମାନେ ହିଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କଲେ  ।

ଏପଟେ ବିଜେପି ଶିବିରରେ ଖୁସିର ଲହର ଖେଳିଯାଇଛି  । ସରକାର ଗଢିବା ଦିଗରେ ବିଜେପି ନେତା ଦେବେନ୍ଦ୍ର ଫଡନାବୀସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି  । ଅନ୍ୟପକ୍ଷରେ ଶିବସେନାରେ ଥିବା କଥା କହୁଥିବା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ କାହାକୁ ସମର୍ଥନ କରୁଛନ୍ତି ତାହା ଆଗକୁ ସ୍ପଷ୍ଟ ହେବ । ୧୦ ଦିନ ହେବ ଚାଲିଥିବା ରାଜନୈତିକ ନାଟକର ଆଜି ଅନ୍ତ ଘଟିଛି  । ନାଟକ ସେତବେଳେ ଆରମ୍ଭ ହୋଇଥିଲା ଯେବେ ଶିବସେନାର ବରିଷ୍ଠ ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଦେ କିଛି ବିଧାୟକଙ୍କୁ ନେଇ ସୁରଟ ଚାଲିଯାଇଥିଲେ  । ସେଠାରେ ରହି ସେ ମହାବିକାଶ ଅଘାଡି ସରକାର ସହ ବିଦ୍ରୋହ କରିଥିଲେ  । ସରକାର ଭାଙ୍ଗିବା ପାଇଁ ଋଣନୀତି ପ୍ରସ୍ତୁତ କରିଥିଲେ  । ପରେ ସୁରଟରୁ ଗୌହ୍ୱାଟି ଚାଲିଯାଇଥିଲେ  । ସେ ନିପାଖରେ ଶିବସେନାର ୩୯ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ  ।