ଶିବସେନାରୁ ଏକନାଥ ସିନ୍ଦେଙ୍କୁ ବିଦା କଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଉଦ୍ଧବ ଠାକରେ । ଏକନାଥ ସିନ୍ଦେଙ୍କୁ ଶିବସେନା ନେତା ପଦରୁ ବହିଷ୍କାର କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ।  ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉଦ୍ଧବ । ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଦ୍ଧବ ଠାକରେ ଚିଠି ଲେଖି ଏକନାଥ ସିନ୍ଦେଙ୍କୁ ଅବଗତ କରାଇଛନ୍ତି ।

ଏକନାଥଙ୍କୁ ଲେଖିଥିବା ଚିଠିରେ ଉଦ୍ଧବ ଲେଖିଛନ୍ତି ଯେ, ଆପଣ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଏଥିସହ ଆପଣ ସ୍ୱେଚ୍ଛାକୃତ ଭାବେ ଶିବସେନାର ସଦସ୍ୟତାକୁ ଛାଡ଼ିଛନ୍ତି । ତେଣୁ ଶିବସେନାର ପ୍ରମୁଖ ହିସାବରେ ମୋତେ ମିଳିଥିବା କ୍ଷମତାକୁ ବ୍ୟବହାର କରି ମୁଁ ଏକନାଥ ସିନ୍ଦେଙ୍କୁ ଶିବସେନା ନେତା ପଦରୁ ବହିଷ୍କାର କରୁଛି । ତେବେ ଏକନାଥ ସିନ୍ଦେ ନିଜକୁ ପ୍ରକୃତ ଶିବ ସୈନିକ ବୋଲି ଦାବି କରି ଆସୁଛନ୍ତି । ଶିବସେନା ତା’ର ନୀତି ଆଦର୍ଶ ସହ ସାଲିସ୍ କରିଛି । ତେଣୁ ସେ ବିଜେପି ସହ ମିଶି କିଛି ଭୁଲ୍ କରି ନାହିଁ ବୋଲି ଏକନାଥ କହିଛନ୍ତି ।