ଚିନ୍ତାରେ ଉଦ୍ଧବ, ହାତ ଛାଡୁଛନ୍ତି ଦଳୀୟ ନେତା; ଶିବସେନାରେ ବଢ଼ୁଛି ଶିନ୍ଦେଙ୍କ ଦବଦବା

ମୁମ୍ବାଇ: ମହାରାଷ୍ଟ୍ରରେ ଏବେବି ରାଜନୈତିକ ସଙ୍କଟ ଜାରି ରହିଛି । ଶିବସେନାର ଅନ୍ତଃକନ୍ଦଳ ତୀବ୍ର ହେବାରେ ଲାଗିଛି । ପ୍ରଥମେ ୪୦ ବିଧାୟକଙ୍କ ସମର୍ଥନ ନେଇ ଉଦ୍ଧବଙ୍କ ସହ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ଏବେ ପୁଣିଥରେ ଉଦ୍ଧବଙ୍କୁ ଟାର୍ଗେଟ କରିଛନ୍ତି । ଉଦ୍ଧବଙ୍କୁ ଶକ୍ତିହୀନ କରିବା ପାଇଁ ଆଉ ଏକ ନୂଆ ଚାଲ୍ ଖେଳିଛନ୍ତି । ଶିବସେନାକୁ ନିଜ ଅକ୍ତିଆର କରିବା ପାଇଁ ଗୋଟିଏ ପରେ ଗୋଟିଏ ନେତାଙ୍କ ସମର୍ଥନ ଉଦ୍ଧବଙ୍କଠାରୁ ଛଡାଇ ନେଉଛନ୍ତି । ଏବେ ଶିବସେନାର ୧୨ ସାଂସଦ ଶିନ୍ଦେଙ୍କ ସମର୍ଥନରେ ଅଛନ୍ତି ।

ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ୧୨ ସାଂସଦଙ୍କ ସହ ଯାଇ ଲୋକସଭା ବାଚସ୍ପତିଙ୍କୁ ଭେଟିଛନ୍ତି । ଆଜି ସନ୍ଧ୍ୟାରେ ବାଚସ୍ପତି ଓମ ବିରଲା ମଧ୍ୟ ବିଦ୍ରୋହୀ ଗୋଷ୍ଠୀର ନେତା ଏକନାଥ ଶିନ୍ଦେ ସମର୍ଥକ ସାଂସଦ ରାହୁଲ ଶୋବାଲେଙ୍କୁ ଲୋକସଭାରେ ଶିବସେନାର ନେତା ଭାବରେ ମାନ୍ୟତା ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଦ୍ରୋହୀ ଏକନାଥ ଶିନ୍ଦେ । ରାହୁଲ ଶୋବାଲେ ଦକ୍ଷିଣ ମଧ୍ୟ ମୁମ୍ବାଇରୁ ସାଂସଦ ଅଛନ୍ତି । ଶୋବାଲେ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ ସମର୍ଥନ ଦେବା ପାଇଁ ଉଦ୍ଧବଙ୍କୁ ଚିଠି ଲେଖିଥିଲେ ।

ଅନ୍ୟପକ୍ଷରେ ଧୀରେ ଧୀରେ ଶକ୍ତିହୀନ ହେଉଥିବା ଉଦ୍ଧବ ଠାକରେ ବରିଷ୍ଠ ପଦାଧିକାରୀଙ୍କ ବୈଠକ ଡକାଇଛନ୍ତି । ସୂଚନାଥାଉକି ବିଧାୟକଙ୍କ ବିଦ୍ରୋହ ପରେ ୨୯ ଜୁନରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଇସ୍ତଫା ଦେଇଥିଲେ । ଶିବସେନାର ୧୨ ସାଂସଦଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇଛି । କୁହାଯାଉଛି, ଶିବସେନାର ୧୯ ମଧ୍ୟରୁ ୧୨ ସାଂସଦ ଲୋକସଭାରେ ଅଲଗା ଗୋଷ୍ଠୀର ଦାବି କରିପାରନ୍ତି ।

ସୂଚନାଥାଉକି ଏବେ ସମସ୍ତଙ୍କ ନଜର ବୁଧବାର ହେବାକୁ ଥିବା ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ରହିଛି । ଉଦ୍ଧବଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଏବଂ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀର ଆବେଦନ ଉପରେ ଶୁଣାଣି ହେବ । ପ୍ରଧାନ ବିଚାରପତି ଏନଭି ରମନ୍ନା, ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ହେମା କୋହଲିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।