ମହୁଲ ମାଫିଆଙ୍କ ଗୁଣ୍ଡାରାଜ୍, ଅଟକାଇ ଛଡାଇ ନେଲେ ଜବତ ମହୁଲ ବୋଝେଇ ପିକଅପ

ଉଦଳା : ମୟୂରଭଞ୍ଜ ଉଦଳାରେ ମହୁଲ ମାଫିଆଙ୍କ ଗୁଣ୍ଡାରାଜ୍। ଫିଲ୍ମ ଷ୍ଟାଇଲରେ ରାସ୍ତାରେ ଅଟକାଇ ଛଡାଇ ନେଲେ ଜବତ ମହୁଲ ବୋଝେଇ ପିକଅପ। ଡ୍ରାଇଭରଙ୍କୁ ମାଡ଼ ମାରି ଓହ୍ଲାଇ ଦେଲେ। ଗାଡିରେ ବସିଥିବା ମହିଳା ଅଧିକାରୀଙ୍କୁ ପିକଅପରେ ବସାଇ ଖସାଇ ନେଲେ ଜବତ ୧୬ କୁଇଣ୍ଟାଲ ମହୁଲ। ମହିଳା ସବଇନ୍ସପେକ୍ଟରଙ୍କୁ ଧମକାଇ ଅଧିକାରୀଙ୍କ ଉପସ୍ଥିତିରେ ଖସାଇ ନେଲେ ଜବତ ପିକଅପ।  ଆଉ ଜଳକା ହୋଇ ଚାହିଁ ରହିଲେ ଅବକାରୀ ସବଇନ୍ସପେକ୍ଟର। କପ୍ତିପଦା ଥାନା ଜାରଡା ଗ୍ରାମରେ ଘଟିଛି ଏଭଳି ଘଟଣା। ବିପୁଳ ପରିମାଣର ମହୁଲ ବେଆଇନ ଭାବେ ଚାଲାଣ ହେଉଥିବା ଖବର ପାଇ କପ୍ତିପଦାରେ ଚଢ଼ାଉ କରିଥିଲା ଉଦଳା ଅବକାରୀ ବିଭାଗ । କପ୍ତିପଦା ଛକ ନିକଟରେ ମହୁଲ ବୋଝେଇ ପିକଅପକୁ ଜବତ କରିଥିବା ବେଳେ ଗାଡ଼ିରେ ଥିବା ୪ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରି ଆଣୁଥିଲା । ଅବକାରୀ ସବଇନ୍ସପେକ୍ଟର ଶୁଭଦର୍ଶିନୀ ସାହୁ ମହୁଲ ବୋଝେଇ ପିକଅପ ଜବତ କରିବା ପରେ ଡ୍ରାଇଭର ସହିତ ବସି ଉକ୍ତ ଗାଡିକୁ ଉଦଳା କାର୍ଯ୍ୟାଳୟ ଆଣୁଥିଲେ। ଜାରଡା ଛକ ନିକଟରେ ମହୁଲ ମାଫିଆ ବାବୁଲି ପ୍ରଧାନ ନିଜ ସହଯୋଗୀଙ୍କ ସହିତ ସେଠାରେ ପହଞ୍ଚି ବିଚ ରାସ୍ତାରେ ଜବତ ଗାଡିକୁ ଅଟକାଇଥିଲା। ଡ୍ରାଇଭରକୁ ମାଡ଼ ମାରି ଜବତ ଗାଡିକୁ ନିଜ ଘରକୁ ନେଇ ଯାଇଥିଲେ ମାଫିଆ।  ଅଧିକାରୀଙ୍କ ସାମ୍ନାରେ ଜବତ ମହୁଲକୁ ଅନଲୋଡ଼ କରିବା ସହିତ ଜବତ ପିକଅପକୁ ଖସାଇ ଦେଇଥିଲା। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଉପସ୍ଥିତିରେ ମାଫିଆ ଘରୁ ଜବତ ହୋଇଛି ୧୬ କୁଇଣ୍ଟାଲ ମହୁଲ । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମାଫିଆ ଚମ୍ପଟ ମାରିଛି। ଜବତ ମହୁଲର ମୂଲ୍ୟ ୫୦ ହଜାର ଟଙ୍କା ହେବ।