ଲୋକଙ୍କ ଭରସା ସାଜିଥିଲା ବାଉଁଶ ପୋଲ, ନଦୀର ସୁଅରେ ଭାସିଯିବାରୁ ଯନ୍ତ୍ରଣାରେ ୨ ବ୍ଲକ ବାସିନ୍ଦା

ଉଦଳା : ଗଙ୍ଗାହାର ନଦୀ ଉପରେ ଲୋକଙ୍କ ଭରସା ସାଜିଥିଲା ବାଉଁଶ ପୋଲ । ଯାହା କିଛି ଦିନ ପୂର୍ବରୁ ନଦୀର ସୁଅରେ ଭାସିଯାଇଛି । ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକରେ ପ୍ରବାହିତ ଗଙ୍ଗାହାର ନଦୀ ଉପରେ ସ୍ଥାୟୀ ପୋଲଟିଏ ନିର୍ମାଣ କରିବାକୁ ଶୁଣିନି ପ୍ରଶାସନ । ବାଧ୍ଯ ହୋଇ ଗ୍ରାମବାସୀ ନିଜ ଉଦ୍ଯମରେ ବାଉଁଶ ପୋଲ ନିର୍ମାଣ କରି ଯାଆସ କରୁଥିଲେ । ହେଲେ ବାଉଁଶ ପୋଲଟି ନଦୀର ସୁଅରେ ଭାସିଯିବାରୁ ଏବେ ଯନ୍ତ୍ରଣାରେ ୨ ବ୍ଲକ ବାସିନ୍ଦା ।
ଏହି ବାଉଁଶ ପୋଲଟି ଗୋପବନ୍ଧୁନଗର ବ୍ଲକ ଏବଂ ବଡ଼ସାହି ବ୍ଲକକୁ ସଂଯୋଗ କରୁଥିଲା । ଏହା ଉପରେ ଗୋପବନ୍ଧୁନଗର ବ୍ଲକ ରାଣୀବନ୍ଧ ପଞ୍ଚାୟତରୁ ବଡ଼ସାହି ବ୍ଲକକୁ ଯିବା ପାଇଁ ୪ ପଞ୍ଚାୟତର ଲୋକେ ନିର୍ଭର କରୁଥିଲେ । ହେଲେ ପୋଲଟି ଭାଙ୍ଗିଯିବାରୁ ବାଧ୍ଯ ହୋଇ ୧୦ କିଲୋମିଟର ବୁଲି ବୁଲି ଯାଉଛନ୍ତି ଲୋକେ । ଅନେକ ଦିନର ଏହି ସମସ୍ଯା ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଜି ବି ଗ୍ରାମବାସୀ ବାଉଁଶ ପୋଲ ଉପରେ ନିର୍ଭର କରୁଛନ୍ତି । କେବେ ଲୋକଙ୍କ ଯାତନାର ଅନ୍ତ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।