ସ୍ଵଚ୍ଛତାର ବାର୍ତ୍ତା ଦେଇ ଗୟାଧର ସାଇକେଲରେ ବୁଲୁଛନ୍ତି ସାରା ରାଜ୍ୟ

ଉଦଳା : ବାଲେଶ୍ୱର ଜିଲ୍ଲା ଖଇରା ପୁରୁଷୋତ୍ତମପୁର ଅଞ୍ଚଳର ଗୟାଧର ବିଶ୍ୱାଳ ସାଇକେଲରେ ଜାତୀୟ ପତାକା, ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ଲଗାଇବା ସହ ଏକ ଝାଡୁ ଧରି ବାହାରି ପଡିଛନ୍ତି ପୂରା ରାଜ୍ୟକୁ ସଫେଇ କରିବାକୁ । ପେଶାରେ ସେ ଜଣେ ଚାଷୀ ହୋଇଥିଲେ ସୁଦ୍ଧା ୨୦୧୮ ମସିହା ମେ ମାସରୁ ସ୍ଵଚ୍ଛ ଭାରତ, ସ୍ଵଚ୍ଛ ଓଡିଶା ମିଶନରେ ବାହାରିଛନ୍ତି । ନିଜ ସାଇକେଲରେ ସେ ରାଜ୍ୟ ତମାମ ବୁଲି ବୁଲି ଦେଉଛନ୍ତି ସ୍ୱଚ୍ଛତାର ବାର୍ତ୍ତା । ଯେଉଁଠି ଅଳିଆ ଆବର୍ଜନା ଦେଖୁଛନ୍ତି ସେଠାରେ ସଫେଇ କରି ଗଛଟିଏ ଲଗାଇ ଫେରିଯାଉଛନ୍ତି । ନିକଟରେ ଗୟାଧର ମୟୂରଭଞ୍ଜ ଜିଲ୍ଲା ଉଦଳାରେ ପହଞ୍ଚି ସଫେଇ କରିଥିଲେ ।

ଗୟାଧର ୫ ବର୍ଷ ହେବ ଏମିତି ସାଇକେଲରେ ବୁଲିବୁଲି ସଫେଇ କରୁଛନ୍ତି । ଏବେ ସୁଦ୍ଧା ସେ ବାଲେଶ୍ଵର, କେନ୍ଦୁଝର, କଟକ , ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ ସମେତ ୧୦ ଗୋଟି ଜିଲ୍ଲା ବୁଲି ସ୍ୱଚ୍ଛତାର ବାର୍ତ୍ତା ଦେଇସାରିଲେଣି । ପୂରା ଓଡିଶାରେ ଘରେ ଘରେ ସ୍ଵଚ୍ଛତାର ବାର୍ତ୍ତା ପହଞ୍ଚାଇବାକୁ ସେ ଚେଷ୍ଟା ଜାରି ରଖିଛନ୍ତି । ସମସ୍ତେ ତାଙ୍କ ନୀତିକୁ ଆପଣାଇଲେ ସମସ୍ତେ ସୁସ୍ଥ ରହିବେ ବୋଲି କହିଛନ୍ତି ପରିବେଶବିତ।  ଗୟାଧର ନିଃସ୍ବାର୍ଥପର ଭାବେ କରୁଥିବା ସଫେଇ ଅଭିଯାନ ନିହାତି ପ୍ରଶଂସନୀୟ ।