ସମ୍ପର୍କୀୟ ପରିଚୟ ଦେଇ ଲୁଟିନେଲା ଗାଡ଼ି

ଉଦଳା: ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟ ପରିଚୟ ଦେଇ ଲୁଟ୍ । ରୋଗୀଙ୍କ ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିବା ବାହାନାରେ ଚୋରି କରି ନେଲେ ଗାଡ଼ି । ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ ଏଭଳି ଘଟଣା ଘଟିଛି । ଚୋରି ଘଟଣାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଗତକାଲି ଅପରାହ୍ନରେ ସ୍ଥାନୀୟ ଅଞ୍ଚଳର ଜ୍ୟୋତ୍ସ୍ନା ନାୟକଙ୍କ ସମ୍ପର୍କୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଜ୍ୟୋତ୍ସ୍ନା ଡାକ୍ତରଖାନା ପରିସରରେ ନିଜ ସ୍କୁଟି ରଖି ରୋଗୀଙ୍କ ନିକଟକୁ ଯାଇଥିଲେ । ଜଣେ ଅଜଣା ବ୍ୟକ୍ତି ଆସି ରୋଗୀ ଆସିଥିବା ୧୦୮ ଆମ୍ବୁଲାନ୍ସରୁ ବାଲଟି ଆଣି ଜ୍ୟୋତ୍ସ୍ନାଙ୍କ ସମ୍ପର୍କୀୟଙ୍କୁ ଦେଇଥିଲେ । ଚିହ୍ନାଜଣା ହେବା ପରେ ମାତ୍ର ୧୫ ମିନିଟ୍ ଭିତରେ ଯୁବକ ଜଣକ ଜ୍ୟୋତ୍ସ୍ନାଙ୍କ ସ୍କୁଟିକୁ ଡାକ୍ତରଖାନା ପରିସରରୁ ନେଇ ଚାଲିଯାଇଛି । ସ୍କୁଟି ଚୋରି ହୋଇଥିବା ଜାଣିବା ପରେ ଜ୍ୟୋତ୍ସ୍ନା ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।