ଚାଷୀଙ୍କ ଚିନ୍ତା ବଢ଼ାଇଛି ଚକଡ଼ା ପୋକ

ଉଦଳା: ଚାଷୀ ମୁଣ୍ଡରେ ଚଡକ ।  ଘରେ ନପଶୁଣୁ ଚାଳ ବାଜିଲା ଭଳି ଚାଷ କାମ ଆରମ୍ଭ ନହେଉଣୁ ଚାଷ କାର୍ଯ୍ୟରେ ସମସ୍ୟା ସୃଷ୍ଟି କଲାଣି ରୋଗ ପୋକ । ଜମିରେ ଏବେ ଲୋଟି ପଡିଛି ନିଜର ଝାଳବୁହା ମୂଲ । ଏବେ ନିଜ ଫସଲ ନଷ୍ଟ ହେଉଥିବା ଦେଖି ଚିନ୍ତାରେ ପଡିଛି ଚାଷୀ । ରୋଗପୋଗ ନିୟନ୍ତ୍ରଣ ପାଇଁ ଏବେ ସରକାରଙ୍କ ସହଯୋଗ ଲୋଡାଯାଇଛି ।

ଶୁଖୁଆ ପୋଡାରେ ଯିବ ବର୍ଷ ଯାକର ପରିଶ୍ରମ । ଶୁଖି ନଷ୍ଟ ହେବାକୁ ବସିଲାଣି ଫସଲ । ଚାଷୀଙ୍କ ପାଇଁ ଦାଉ ସାଜିଛି ଚକଡା ପୋକ । ଧାର କରଜ ସୁଝିବା ଚିନ୍ତାରେ ଚଷାପୁଅ । ସେ ଏବେ ବିଲରେ ପଶି ଉଜୁଡି ଯିବାକୁ ବସିଥିବା ଧାନ ଗଛକୁ ସଜାଡୁଛି । ଆଉ କେତେବେଳେ ଗଛ ଭିତରୁ ଖୋଜୁଛି ନିଜ ଝାଳ ବୁହା ପରିଶ୍ରମର ମୂଲ । ମୟୂରଭଞ୍ଜ ଉଦଳା ବ୍ଲକ ଅଧୀନରେ ଥିବା ବିଭିନ୍ନ ଗାଁରେ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି । ଧାନ ଗଛରେ ପୋକ ଲାଗିବା ଫଳରେ ଗଛ ଗୁଡିକ ଲାଲ ହୋଇଯିବା ସହିତ ଶୁଖିବାରେ ଲାଗିଛି ।

ହଠାତ ଧାନ ଗଛରେ ଏହି ପୋକ ଲାଗୁଥିବା ବେଳେ ବିଲରୁ ବିଲ ଏହି ରୋଗ ପୋକ ବ୍ୟାପିବାରେ ଲାଗିଛି। ଚାଷୀ ନିଜ ଫସଲରେ ଔଷଧ ସିଞ୍ଚନ କଲେ ମଧ୍ୟ ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି  । ସେପଟେ ଫସଲ କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କ ନିକଟରେ ସୂଚନା ରହିଛି । ନିଜ ଫସଲକୁ କିଭଳି ରୋଗ ପୋକ ଦାଉରୁ ଚାଷୀ ରକ୍ଷା କରିପାରିବେ ସେନେଇ ପରାମର୍ଶ ଦିଆଯାଉଥିବା କହିଛନ୍ତି ଉଦଳା କୃଷି ଅଧିକାରୀ ।