ଗୁରୁବାର ଉଭାଯାତ୍ରା, ଜାଣନ୍ତୁ କେଉଁ ସମୟରେ କରିପାରିବେ ଦର୍ଶନ

ପୁରୀ:  ସୁସ୍ଥ ହୋଇଛନ୍ତି ଶ୍ରୀଜିଉ । ମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଅଣସରର ଅନ୍ତିମ ଦିନରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଗତକାଲି ମଧ୍ୟ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜିଉଙ୍କ ପୟର ମୁଦା ସହ ବନକ ଲାଗି ନୀତି ହୋଇଥିଲା ।

ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଦୁଇବର୍ଷ ପରେ ଭକ୍ତଙ୍କୁ ମିଳିବ ଶ୍ରୀଜିଉଙ୍କ ଦୁର୍ଲଭ ଦର୍ଶନର ସୁଯୋଗ ।

ଆସନ୍ତା ୩୦ ତାରିଖ ଗୁରୁବାର ଉଭାଯାତ୍ରା ଦିନ ସକାଳ ୪ଟାରୁ ସକାଳ ୬ ଟା ୩୦ ଯାଏଁ, ମଧ୍ୟାହ୍ନ ୧୨ ଟା ୩୦ରୁ ଅପରାହ୍ନ ୧ଟା ୩୦ ଯାଏଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ  । ସେହିପରି ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୫ଟା ସାଧାରଣ ଦର୍ଶନ ମିଳିବ  । କିନ୍ତୁ ସକାଳ ୬ ଟା ୩୦ ରୁ ଦିନ ପ୍ରାୟ ୧୨ ଟା ୩୦ ଓ ୧ଟା ୩୦ ରୁ ୩ଟା ୩୦ ଯାଏଁ ଦର୍ଶନ ବନ୍ଦ ରହିବ  । ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସମ୍ପାଦାନ ପ୍ରସ୍ତୁତି ପାଇଁ ଉଭାଯାତ୍ରା ଦିନ ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ  ।