ଭିସା ପାଇଁ ୟୁଏଇ ଆଗରେ କାନ୍ଦୁଥିଲା ପାକିସ୍ତାନ, ଏବେ ମିଳିଲା ଆଶ୍ୱସ୍ତି…

1 min read

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନକୁ ବିଶ୍ୱରେ ଅପମାନିତ କରାଯିବା କୌଣସି ନୂଆ କଥା ନୁହେଁ, ସେ ଆରବ ଦେଶ ହେଉ କି ୟୁରୋପୀୟ ଦେଶ, କେହି ପାକିସ୍ତାନୀମାନଙ୍କୁ ସହଜରେ ନିଜ ଦେଶକୁ ଆସିବାକୁ ଦିଅନ୍ତି ନାହିଁ। ପାକିସ୍ତାନର ପାସପୋର୍ଟ ରାଙ୍କିଂ ୧୦୩ ଏବଂ ପାକିସ୍ତାନୀମାନଙ୍କର କେବଳ ୩୩ଟି ଦେଶରେ ଭିସା ମୁକ୍ତ ପ୍ରବେଶ ଅଛି। କିନ୍ତୁ ଦୀର୍ଘ ଅନୁରୋଧ ପରେ, ୟୁଏଇ ପାକିସ୍ତାନକୁ କିଛି ଆଶ୍ୱସ୍ତି ଦେଇଛି। ଦୁବାଇର ଜେନରାଲ ଡାୟରେକ୍ଟୋରେଟ ଅଫ ଆଇଡେର୍ଟିଟି ଆଣ୍ଡ ଫରେନର୍ସ ଆଫାୟର୍ସର ୱେବସାଇଟ୍ ଅନୁଯାୟୀ, ଦେଶ ପାଞ୍ଚ ବର୍ଷ ପାଇଁ ମଲ୍ଟିପଲ୍-ଏଣ୍ଟ୍ରି ଟୁରିଷ୍ଟ ଭିସା ଜାରି କରିଛି । ଏହି ଭିସା ଜଣେ ବ୍ୟକ୍ତିଙ୍କୁ ଜାରି ତାରିଖରୁ ତିନୋଟି ଯାତ୍ରା କରିବାକୁ ଅନୁମତି ଦିଏ, ଦେଶ ଭିତରେ କୌଣସି ଗ୍ୟାରେଣ୍ଟର କିମ୍ବା ହୋଷ୍ଟର ଆବଶ୍ୟକତା ନାହିଁ। ଏବେ ଏହି ମଲ୍ଟିପଲ୍-ଏଣ୍ଟ୍ରି ଟୁରିଷ୍ଟ ଭିସା ପାକିସ୍ତାନର ନାଗରିକମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ରାଜ୍ୟପାଳ ଭବନରେ ୟୁଏଇର ରାଷ୍ଟ୍ରଦୂତ ଜାବି ଏବଂ ସିନ୍ଧ ରାଜ୍ୟପାଳ କରମରାନ ଖାନ ଟେସୋରିଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ପାକିସ୍ତାନକୁ ଏହି ଭିସା ମିଳିଛି। ରାଜ୍ୟପାଳ ଭବନରୁ ଜାରି ଏକ ପ୍ରେସ ବ୍ରିଫିଂରେ ଜାବି କହିଛନ୍ତି ଯେ, ଭିସା ସମସ୍ୟାର ସମାଧାନ ହୋଇଛି, ପାକିସ୍ତାନୀମାନେ ପାଞ୍ଚ ବର୍ଷର ଭିସା ପାଇପାରିବେ। ସେ ରାଜ୍ୟପାଳଙ୍କୁ କରାଚୀ କନସୁଲେଟ୍‌ର ଭିସା କେନ୍ଦ୍ର ପରିଦର୍ଶନ କରିବାକୁ ନିମନ୍ତ୍ରଣ ମଧ୍ୟ କରିଥିଲେ। ଟେସୋରି ପ୍ରଦେଶରେ, ବିଶେଷକରି କରାଚୀରେ ତାଙ୍କ ଦେଶର ନିବେଶ ପାଇଁ ୟୁଏଇ କୂଟନୀତିଜ୍ଞଙ୍କୁ ଧନ୍ୟବାଦ ଜଣାଇଥିଲେ। ରାଜ୍ୟପାଳଙ୍କ ପଦକ୍ଷେପ ଅଧୀନରେ କରାଯାଉଥିବା ପ୍ରକଳ୍ପଗୁଡ଼ିକୁ ମଧ୍ୟ ଜାବି ପ୍ରଶଂସା କରିଥିଲେ।