ରାଜଧାନୀରେ ଫୁଟବଲ ଫିଭର, କାଲିଠୁ U17 ମହିଳା ଫିଫା ବିଶ୍ବକପ

ଭୁବନେଶ୍ବର: ରାଜଧାନୀରେ ଫୁଟବଲ ଫିବର । କାଲିଠୁ କମ୍ପିବ କଳିଙ୍ଗ, ମତୁଆଲା ହେବେ ଦର୍ଶକ । ଆରମ୍ଭ ହେବ ଅଣ୍ଡର 17 ମହିଳା ଫିଫା ବିଶ୍ବକପ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ବକପ ଭଳି ଏକ ମେଗା ଇଭେଣ୍ଟ ଆୟୋଜିତ ହେବାକୁ ଯାଉଛି ।

ଏଥିପାଇଁ ଫୁଟବଲ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଉଦଘାଟନୀ ମ୍ୟାଚ ସହ ୬ଟି ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ । ମ୍ୟାଚ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ ସହ ଅଭ୍ୟାସ ଗ୍ରାଉଣ୍ଡକୁ ପ୍ରଶଂସା କରିଛନ୍ତି ମୋରୋକ୍କୋ କୋଚ ଓ ଖେଳାଳି । କଳିଙ୍ଗ ଷ୍ଟାଡିୟମ୍ ସହ ଏଠାକାର କ୍ରୀଡା ଭିତ୍ତିଭୂମି ଓ ଭୁବନେଶ୍ବର ସହରକୁ ମଧ୍ୟ ପ୍ରଶଂସା କରିଛନ୍ତି ଖେଳାଳି ।

ଭାରତୀୟ ଟିମ୍ ରାଜ୍ୟ ସରକାରଙ୍କ କ୍ରୀଡ଼ା ଭିତ୍ତିଭୂମି ଓ ବିଶ୍ବକପ୍‌କୁ ପ୍ରଶଂସା କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରିବ । ପ୍ରଥମ ଥର ପାଇଁ ମହିଳା ଫୁଟବଲ୍ ବିଶ୍ବକପ୍‌ରେ ଭାରତ ଭାଗ ନେଉଥିବାରୁ ଦଳ ଉତ୍ସାହିତ । ଆସନ୍ତାକାଲି, ୧୪ ଓ ୧୭ ତାରିଖରେ ୩ଟି ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ହେବ ।

ଭାରତ ଓ ୟୁଏସଏ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ । ଅନ୍ୟପଟେ ଫିପା ଫୁଟବଲ୍ ବିଶ୍ବକପ ପାଇଁ ଚାରିସ୍ତରୀୟ ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡ଼ିୟମ । କଳିଙ୍ଗ ଷ୍ଟାଡ଼ିୟମ ପହଞ୍ଚି ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀ ଓ ଡିସିପି ।

ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନ୍ସପେକ୍ଟର୍, ୧୦୦ ଅଧିକାରୀ, ୨୪୦ କନେଷ୍ଟବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଷ୍ଟାଡ଼ିୟମ ଭିତରେ ସାଧା ପୋଷାକରେ ପୋଲିସ ମୁତୟନ ହେବେ । ପାର୍କିଂ ଆଉ ଟ୍ରାଫିକକୁ ଗୁରୁତ୍ଵ ଦିଆଯାଇଛି । ଶାନ୍ତିଶୃଙ୍ଖଳାରେ ଖେଳ ପରିଚାଳନା ହେବ ସେଥି ପାଇଁ କମିସନରେଟ ପୋଲିସ ପ୍ରସ୍ତୁତ ଅଛି ।