ହଟିଲା ପ୍ରତିବନ୍ଧକ, ଭାରତରେ ଆୟୋଜନ ହେବ ଅଣ୍ଡର ୧୭ ମହିଳା ବିଶ୍ବକପ

1 min read

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ମହାସଙ୍ଘ ଉପରେ ଆସିଥିବା ସଙ୍କଟ ଦୂର ହୋଇଛି  । ବିଶ୍ବ ଫୁଟବଲକୁ ସଞ୍ଚାଳିତ କରୁଥିବା ସଂସ୍ଥା ଫିଫା ଅଖିଳ ଭାରତୀୟ ଫୁଟବଲ ମହାସଙ୍ଘ (AIFF) ଉପରେ ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି  । ଏହା ସହ ଭାରତ କୁ ଦେଇଛି ଖୁସି ଖବର  । ଅଣ୍ଡର ୧୭ ମହିଳା ବିଶ୍ବକପ ୨୦୨୨ ଆୟୋଜନ ଦାୟିତ୍ବ ଭାରତକୁ ଦେଇଛି ଫିଫା ।

ଅଖିଳ ଭାରତୀୟ ଫୁଟବଲ ଫେଡେରେସନ (ଏଆଇଏଫଏଫ)କୁ ବିଶ୍ୱର ସବୁଠୁ ବଡ଼ ଫୁଟବଲ ପରିଚାଳକ ସଂଘ ଫିଫା ବହିଷ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କେନ୍ଦ୍ର । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଏହି ମାମଲାରେ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ଶୁଣାଣି ପାଇଁ ନିବେଦନ କରିଥିଲେ । ତୃତୀୟ ପକ୍ଷର ଅନୁଚିତ ହସ୍ତକ୍ଷେପ ଏବଂ ଅଣ୍ଡର-୧୭ ମହିଳା ବିଶ୍ୱକପ ଆୟୋଜନର ଅଧିକାର ଛଡାଇନେବା ସମ୍ବନ୍ଧରେ ସୁପ୍ରିମକୋର୍ଟ ଯାଇଛନ୍ତି । ଅକ୍ଟୋବର ୧୧ ରୁ ୩୦ ପର୍ଯ୍ୟନ୍ତ ଫିଫା ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା ।

ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠକୁ ସଲିସିଟର ଜେନେରାଲ ତୁଷାର ମେହତା କେନ୍ଦ୍ର ପକ୍ଷରୁ ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଶୁଣାଣି ପାଇଁ ନିବେଦନ କରିଥିଲେ । ତେବେ ୮୫ ବର୍ଷରେ ପ୍ରଥମ ଥର ପାଇଁ ଫିଫା ଭାରତୀୟ ଫୁଟବଲ ଫେଡେରେସନକୁ ବ୍ୟାନ କରିଥିଲା ।

ସୂଚନାଥାଉକି ମଙ୍ଗଳବାର ସକାଳେ ଫିଫା ଏକ ପ୍ରେସ ରିଲିଜ୍ ଜାରି କରି ବ୍ୟାନ ସମ୍ପର୍କରେ ସୂଚନା ଦେଇଥିଲା । ପ୍ରେସ ରିଲିଜରେ ଲେଖାଥିଲା ଭାରତୀୟ ସଂଘରେ ତୃତୀୟ ପକ୍ଷର ଅନୁଚିତ ହସ୍ତକ୍ଷେପ କାରଣରୁ ଏହି ପଦକ୍ଷେପ ନିଆଯାଇଛି । କୌଣସି ଜାତୀୟ ଫୁଟବଲ ସଂଘରେ ତୃତୀୟ ପକ୍ଷର ହସ୍ତକ୍ଷେପ ଫିଫା ଆଇନର ଉଲ୍ଲଂଘନ ଅଟେ ।

ଫିଫା ପରିଷଦର ବ୍ୟୁରୋମାନେ ସର୍ବସମ୍ମତିକ୍ରମେ ତୃତୀୟ ପକ୍ଷର ଅନୁଚିତ ପ୍ରଭାବ କାରଣରୁ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନକୁ ତତ୍କାଳ ପ୍ରଭାବରେ ନିଲମ୍ବିତ କରିବାର ନିଷ୍ପତ୍ତି ନେଇଥିଲା । ଫିଫା କହିଥିଲା ଏହି ବ୍ୟାନ୍ ସେତବେଳେ ପ୍ରତ୍ୟାହାର କରାଯିବ ଯେବେ ସୁପ୍ରିମକୋର୍ଟ ଦ୍ୱାରା କମିଟି ଅଫ ଆଡମିନିଷ୍ଟେଟର୍ସକୁ ହଟାଯିବ ।

ଏଆଇଏଫଏଫ  ପ୍ରଶାସନକୁ ସମ୍ପୂର୍ଣ୍ଣ କ୍ଷମତା ଦିଆଗଲେ ହିଁ ନିଲମ୍ବନ ପ୍ରତ୍ୟାହର ହେବ । ସର୍ବଭାରତୀୟ ଫୁଟବଲ ଫେଡେରେସନର ଅଧ୍ୟକ୍ଷ ପଦରୁ ପ୍ରଫୁଲ ପଟେଲଙ୍କୁ ବହିଷ୍କାର କରାଯିବା ପରେ ଫିଫା ଏହି ପଦକ୍ଷେପ ନେଇଥିଲା । ଡିସେମ୍ବର ୨୦୨୦ରେ ଭାରତୀୟ ଫେଡେରେସନରେ ନିର୍ବାଚନ ନ କରାଇବା ନେଇ ସୁପ୍ରିମକୋର୍ଟ ତାଙ୍କୁ ବହିଷ୍କାର କରିଥିଲେ । ଅନ୍ୟ ଏକ କମିଟି ଗଠନ କରି ଏହାର ପରିଚାଳନା ଦାୟିତ୍ୱ ଦେଇଥିଲେ । ଯାହାକୁ ଫିଫା ନିଜ ନିୟମର ଉଲ୍ଲଂଘନ ବୋଲି ମାନୁଛି ।