ଅଲ୍‌ କାଏଦା ମୁଖ୍ୟ ଅୟମାନ ଅଲ୍ ଜଓ୍ୱାହିରି ନିହତ

1 min read

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ଅଲ-କାଏଦା ମୁଖ୍ୟ ଅୟମାନ ଅଲ୍-ଜଓ୍ବାହିରି ନିହତ । ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ସିଆଇଏ ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣରେ ଅଲ୍-ଜଓ୍ବାହିରିକୁ ନିହତ କରିଥିବା ଦାବି କରିଛି । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ୨୦୧୧ରେ ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ-କାଏଦାକୁ ଏବେ ସବୁଠାରୁ ବଡ଼ ଝଟକା ଲାଗିଛି । ୭୧ ବର୍ଷୀୟ ଜଓ୍ବାହିରି ଏକ ସମୟରେ ଲାଡେନର ଘରୋଇ ଡାକ୍ତର ଭାବେ କାମ କରୁଥିଲା ।

୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ହୋଇଥିବା ବିମାନ ଆକ୍ରମଣରେ ଅଲ୍-ଜଓ୍ବାହିରି ଥିଲା ମାଷ୍ଟର ମାଇଣ୍ଡ । ଆତଙ୍କୀ ଆକ୍ରମଣରେ ପାଖାପାଖି ୩ ହଜାର ଲୋକ ପ୍ରାଣ ହରାଇଥିଲେ । ଆମେରିକୀୟ ଅଧିକାରୀଙ୍କ କହିବା ଅନୁସାରେ, ଜଓ୍ବାହିରି କାବୁଲର ଏକ ସୁରକ୍ଷିତ ଘରେ ଶରଣ ନେଇଥିଲା । ଆମେରିକା କୌଣସି ସୂତ୍ରରୁ ଖବର ପାଇ ଜୁଲାଇ ୩୧ ତାରିଖ ରାତିରେ ଆକାଶମାର୍ଗରୁ ଡ୍ରୋନ୍ ସହାୟତାରେ ମିସାଇଲ୍ ମାଡ କରିଥିଲା । ଯେଉଁଥିରେ ଅଲ-କାଏଦା ମୁଖ୍ୟ ଅୟମାନ ଅଲ୍-ଜଓ୍ବାହିରିର ମୃତ୍ୟୁ ହୋଇଥିଲା । ଆମେରିକାର ଏଭଳି ଆକ୍ରମଣକୁ କଡ଼ା ନିନ୍ଦା କରିଛି ତାଲିବାନ ।

ଏଥିସହିତ ପଢ଼ନ୍ତୁ: ଆମେରିକା ବାଚସ୍ପତିଙ୍କ ସମ୍ଭାବ୍ୟ ତାଇଓ୍ୱାନଗସ୍ତ ନେଇ ଚୀନ କ୍ଷୁବ୍ଧ