୯୦ ଦିନ ଭିତରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇଯିବ ତାଲିବାନ !

1 min read

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦିନକୁ ଦିନ ତାଲିବାନଙ୍କ ବର୍ବରତା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ତାଲିବାନ ୬୫ ପ୍ରତିଶତ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇସାରିଲାଣି। ତେବେ ଏହାରକି ମଧ୍ୟରେ ଆମେରିକାର ଗୁଇନ୍ଦା ସଂସ୍ଥା ଚେତାବନୀ ଦେଇଛନ୍ତି ଯେ ତାଲିବାନ ଆତଙ୍କବାଦୀମାନେ ଆସନ୍ତା ୩୦ ରୁ ୯୦ ଦିନ ମଧ୍ୟରେ ଆଫଗାନିସ୍ତାନ ସମ୍ପୂର୍ଣ୍ଣ ଦଖଲ କରିପାରନ୍ତି। ଏହି ସୂଚନା ପରେ ଆଫଗାନିସ୍ତାନର ଆଶରଫ ଘାନି ସରକାରରେ ହଇଚଇ ସୃଷ୍ଟି ହୋଇଯାଇଛି। ତାଲିବାନକୁ ପରାସ୍ତ କରିବାକୁ ଆଫଗାନିସ୍ତାନ ସରକାର ତିନି ପର୍ଯ୍ୟାୟର ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି।

ଆଫଗାନିସ୍ତାନର  ଗୃହମନ୍ତ୍ରୀ ଜେନେରାଲ ଅବଦୁହଲ ସତ୍ତା ଏବଂ ମିର୍ଜାକୱାଲ କହିଛନ୍ତି, ‘ଆମେ ତିନିଟି ପର୍ଯ୍ୟାୟରେ କାର୍ଯ୍ୟ କରୁଛୁ। ପ୍ରଥମ ପଦକ୍ଷେପ ହେଉଛି ଆମ ସୈନ୍ୟଙ୍କ ପରାଜୟକୁ ରୋକିବା। ଦ୍ୱିତୀୟ ପର୍ଯ୍ୟାୟରେ, ସୌନ୍ୟମାନଙ୍କୁ ଏକତ୍ରିତ କରାଯିବ ଯାହା ଦ୍ୱାରା ସେମାନଙ୍କ ସାହାଯ୍ୟରେ ସହରଗୁଡିକ ଟାରିପଟେ ଏକ ସୁରକ୍ଷା କବଚ ପ୍ରସ୍ତୁତ କରାଯାଇପାରିବ। ସେ କହିଛନ୍ତି ଯେ ଯେଉଁ ସୁରକ୍ଷାକର୍ମୀମାନେ ନିଜ ପଦ ଛାଡିଛନ୍ତି, ଆମେ ସେମାନଙ୍କୁ ସେଠାକୁ ଫେରାଇ ଆଣୁଛୁ। ଆଉ ଏହା ପରେ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ ଯେଉଁଥିରେ ତାଲିବାନ ବିରୋଧରେ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ତେବେ ସେ କହିଛନ୍ତି ଯେ ବର୍ତ୍ତମାନ ଆପଫଗାନିସ୍ତାନ ଦ୍ୱିତୀୟ ପର୍ଯ୍ୟାୟ ଆଡକୁ ଯାଉଛି।

ସୂଚନାଯୋଗ୍ୟ, ଏବେ ସୁଦ୍ଧା ଆଫଗାନିସ୍ତାନର ଅଧାରୁ ଅଧିକ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇ କ୍ରୁର ଶାସନ ଆରମ୍ଭ କରିଛି ତାଲିବାନ । ଏଭଳି ସ୍ଥିତିରେ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛି ଆମେରିକା । ସେପଟେ ପରିସ୍ଥିତିକୁ ନଜରରେ ରଖି ଆଫଗାନିସ୍ତାନ ନିଜର ସେନା ମୁଖ୍ୟ ପରିବର୍ତ୍ତନ କରିଛି। ଅନ୍ୟପଟେ ଆଫଗାନିସ୍ତାନକୁ ଭାରତ ଦେଇଥିବା ଯୁଦ୍ଧ ବିମାନ MI-24କୁ ତାଲିବାନ ନିକ ଅକ୍ତିଆରକୁ ନେଇଛି। ତାଲିବାନ ଆତଙ୍କୀ MI-24ଆଗରେ ଠିଆ ହୋଇ ଫଟୋ ବି ସେୟାର କରିଛନ୍ତି । ୨୦୧୯ରେ ଭାରତ ଆଫଗାନିସ୍ତାନକୁ ଏହି ହେଲିକାପ୍ଟର ଉପହାର ଦେଇଥିଲା।

Leave a Reply