spot_img

Latest Posts

ଜଳବାୟୁଜନିତ ବିପର୍ଯ୍ୟୟ ମୁକାବିଲା; ଗରିବ ରାଷ୍ଟ୍ରଙ୍କୁ ସହାୟତା କରିବା ଲାଗି ହେବ ପାଣ୍ଠି

ନୂଆଦିଲ୍ଲୀ: ଜଳବାୟୁଜନିତ ବିପର୍ଯ୍ୟୟର ମୁକାବିଲା ଲାଗି ଗରିବ ରାଷ୍ଟ୍ରଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଗଠନ ହେବ ପାଣ୍ଠି। ଜାତିସଂଘ ଜଳବାୟୁ ସମ୍ମିଳନୀରେ ଏନେଇ ହୋଇଛି ସହମତି। ଦୁବାଇରେ ଅନୁଷ୍ଠିତ ସିଓପି୨୮ ସମ୍ମିଳନୀରେ ପ୍ରାୟ ୨୦୦ ଦେଶର ପ୍ରତିନିଧି ଯୋଗଦେଇଥିବାବେଳେ ଗରିବ ରାଷ୍ଟ୍ରଙ୍କ ପ୍ରତି ସମ୍ମିଳନୀରେ ପୋଷଣ କରାଯାଇଛି ଅନୁକମ୍ପା ।

ଦୁବାଇ ଘୋଷଣାନାମା ଅନୁସାରେ କାର୍ଯ୍ୟ ଚାଲିବ ବୋଲି କହିଛନ୍ତି ସିଓପି୨୮ ସଭାପତି ସୁଲତାନ ଅହମ୍ମଦ ଅଲ ଜାବର। ଏହା ସହ ଜଳବାୟୁ ମୁକାବିଲା ଲାଗି ପାଣ୍ଠି ଗଠନ ସକାଶେ ବିଭିନ୍ନ ରାଷ୍ଟ୍ର ସହଯୋଗର ହାତ ବଢାଇଛନ୍ତି । ପାଣ୍ଠି ବାବଦରେ ସିଓପି ୨୮ର ଆୟୋଜକ ୟୁଏଇ ୧୦୦ ନିୟୁତ ଡଲାର ଦେବ । ସେହିପରି ବ୍ରିଟେନ ୫୧ ନିୟୁତ ଡଲାର, ଆମେରିକା ୧୭.୫ ନିୟୁତ ଡଲାର ଓ ଜାପାନ ୧୦ ନିୟୁତ ଡଲାର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି।

ଏହା ସହ ୟୁରୋପୀୟ ୟୁନିଅନ ୨୪୫ ଦଶମିକ ୩୯ ନିୟୁତ ଡଲାର, ଜର୍ମାନୀ ୧୦୦ ନିୟୁତ ଡଲାର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି । ଜଳବାୟୁଜନିତ ସମସ୍ୟାର ମୁକାବିଲା କରିବାରେ ଗରିବ ରାଷ୍ଟ୍ର ସର୍ବଦା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସହାୟତା ଲାଗି ଅଧିକାଂଶ ରାଷ୍ଟ୍ର ବିଭିନ୍ନ ଦେଶ ନିକଟରେ ହାତ ପତାଇବା ଦେଖାଯାଉଛି । ସିଓପି୨୮ ହେଉଛି ଜାତିସଂଘ ଜଳବାୟୁ ସମ୍ମିଳନୀର ୨୮ତମ ବୈଠକ। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦୁବାଇରେ ଅନୁଷ୍ଠିତ ଏହି ସମ୍ମିଳନୀ ୩୦ ନଭେମ୍ବରରୁ ଡିସେମ୍ବର ୧୨ ଯାଏ ଚାଲିବ।

Latest Posts

Don't Miss