spot_img

Latest Posts

ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ଦୁଇବର୍ଷ, ତଥାପି ଥମୁନି ଯୁଦ୍ଧର ବିଭୀଷିକା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ଦୁଇବର୍ଷ। ହୋଇପାରିଲାନି ହିସାବନିକାଶ ।  ୨୦୨୨ ଫେବୃଆରୀରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ସାରା ବିଶ୍ବ ହୋଇଯାଇଥିଲା ସ୍ତମ୍ଭୀଭୂତ। ଏକଦା ସୋଭିଏତ ରାଷ୍ଟ୍ର ସଂଘରେ ଦୁଇ ପ୍ରମୁଖ ଶକ୍ତି ଥିବା ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ସାରା ବିଶ୍ବରେ ପକାଇଛି ପ୍ରଭାବ। କେବଳ ଋଷର ୩ ଲକ୍ଷ ୧୫ ହଜାର ସୈନ୍ୟ ମୃତାହତ, ଯାହାକି ଯୁଦ୍ଧ ପୂର୍ବବର୍ତ୍ତୀ ସମୟରେ ଥିବା ସୈନ୍ୟ ସଂଖ୍ୟାର ୯୦ ପ୍ରତିଶତ।

ସେମାନଙ୍କ ମଧ୍ୟରେ ଅଛନ୍ତି ୨୨ ହଜାରରୁ ଅଧିକ ଓ୍ବାଗନର ବାହିନୀ ସୈନ୍ୟ । ସେପଟେ ୟୁକ୍ରେନର ନିହତ ସୈନ୍ୟ ସଂଖ୍ଯା ହେଲାଣି ପ୍ରାୟ ୩୦ ହଜାର। ଯୁଦ୍ଧ ଯୋଗୁ ପ୍ରାୟ ୬୦ ଲକ୍ଷ ୟୁକ୍ରେନ ନାଗରିକ ପଳାୟନ କରି ୟୁରୋପର ବିଭିନ୍ନ ରାଷ୍ଟ୍ରରେ ଶରଣାର୍ଥୀ ସାଜିଥିବାବେଳେ ଦେଶ ଭିତରେ ପ୍ରାୟ ୮୦ ଲକ୍ଷ ନାଗରିକ ବାସହୀନ କିମ୍ବା ବେସାହାରା ହୋଇଛନ୍ତି। ଯୁଦ୍ଧ ଜାରି ରହିଥିବାବେଳେ ଗତ ସପ୍ତାହରେ ୟୁକ୍ରେନର ଆଭିଦିଭକା ସହରକୁ ଋଷ ବାହିନୀ କରିଥିଲେ କବଜା ଯାହା ଥିଲା ୟୁକ୍ରେନ ଲାଗି ବିରାଟ ଧକ୍କା ।

ଯୁଦ୍ଧ ଯୋଗୁ ଋଷର ଦୈନିକ କ୍ଷତି ପରିମାଣ ହାରାହାରି ୧ ବିଲିୟନ ଡଲାର ହେଉଥିବାବେଳେ ଏହି କାରଣକୁ ରାଜକୋଷ ଉପରେ ଜବରଦସ୍ତ ପ୍ରଭାବ ପଡିଛି । କେବଳ ଏତିକି ନୁହେଁ ବିଶ୍ବର ଷ୍ଟକମାର୍କେଟ, ଇନ୍ଧନ, ଗହମ, ଖାଇବା ତେଲ ବଜାରର ନାହିଁ ନଥିବା କ୍ଷତି ଘଟାଇଛି ଯୁଦ୍ଧ। ଯୁଦ୍ଧକୁ ସମାଧାନ କରିବା ବଦଳରେ ଆମେରିକା ପରି ରାଷ୍ଟ୍ର ୟୁକ୍ରେନକୁ ବିପୁଳ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଥିବାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସରିବା ସମ୍ଭାବନା ଦିଶୁନାହିଁ। ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ ଗିରଫ ପରଓ୍ବାନା ଜାରି କରିଛି। ବାରମ୍ବାର ଜାତିସଂଘରେ ଯୁଦ୍ଧ ପ୍ରସଙ୍ଗରେ ବୈଠକ ବସିଥିଲେ ବି ଯୁଦ୍ଧ ବନ୍ଦ ଦିଗରେ ଠୋସ୍ ପଦକ୍ଷେପ ନିଆଯାଇପାରିନାହିଁ ।

ତେଣେ ଯୁଦ୍ଧକୁ ୨ ବର୍ଷ ପୂରିଥିବାବେଳେ ଋଷ, ଆମେରିକା, ଚୀନ, ୟୁଏଇ ଓ ଅନ୍ୟାନ୍ୟ ରାଷ୍ଟ୍ରରେ ଥିବା ଋଷ ସହ ସମ୍ପର୍କିତ ୫୦୦ଟି କ୍ଷେତ୍ର ଉପରେ ନୂଆ କଟକଣା ଜାରି କରିଛି ଆମେରିକା। ଜାପୋରଜିଆ, ଖେରସନ, ଦୋନେସ୍କ, ଆଭିଦିଭକା ଆଦି ଇଲାକା ବର୍ତ୍ତମାନ ଋଷ କବଜାରେ ରହିଛି।

Latest Posts

Don't Miss