ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ପାସ୍ ରେ ଲୋକସଭା ଆସିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ଦର୍ଶକ ଗ୍ୟାଲେରିରୁ ଲୋକସଭା ମଧ୍ୟକୁ ଡେଇଁଥିବା ବ୍ୟକ୍ତିମାନେ କାହାଠାରୁ ପାସ୍ ନେଇ ଆସିଥିଲେ ତାହା ଜଣାପଡ଼ିଛି। ମିଳୁଥିବା ପ୍ରାଥମିକ ସୂଚନା ଅନୁସାରେ କର୍ଣ୍ଣାଟକରୁ ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ପାସରେ ସେମାନେ ଲୋକସଭାକୁ ଆସିଥିଲେ। ମହୀଶୂର କୋଡାଗୁ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରନ୍ତି ପ୍ରତାପ। ସେମାନେ ହାତରେ ଛୋଟ ଗ୍ୟାସ କଣ୍ଟେନର ଧରିଥିଲେ ।

ସୂଚନାଯୋଗ୍ୟ ଯେ, ସଂସଦ ଉପରେ ଆକ୍ରମଣର ୨୨ ବର୍ଷ ପୂର୍ତ୍ତି ଦିବସରେ ବୁଧବାର ବଡ଼ ଧରଣର ସୁରକ୍ଷାଗତ ତ୍ରୁଟି ପରିଲକ୍ଷିତ ହୋଇଛି। ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରିରୁ ଅଚାନକ ଲୋକସଭା ମଧ୍ୟକୁ ଡେଇଁପଡ଼ିଥିଲେ। ଉଭୟ ଗୃହ ମଧ୍ୟଭାଗକୁ ଯିବା ବେଳେ ସେମାନଙ୍କୁ କିଛି ସାଂସଦ କାବୁ କରିଥିଲେ। ଏହି ଘଟଣା ଘଟିବା ବେଳେ ଗୃହରେ ଆଲୋଚନା ଚାଲୁଥିଲା। ପଶ୍ଚିମ ବଙ୍ଗରୁ ବିଜେପି ସାଂସଦ ସ୍ୱଗେନ ମୁର୍ମୁ ନିଜ କଥା ଗୃହରେ ରଖୁଥିଲେ। ଅଚାନକ ଘଟିଥିବା ଏହି ଘଟଣାରେ ସମସ୍ତେ ଚକିତ ହୋଇ ପଡ଼ିଥିଲେ। ଗୃହ ମାଇକରୁ ଶୁଣିବାକୁ ମିଳିଥିଲା ଯେ,କେହି ଦର୍ଶକ ଗ୍ୟାଲେରିରୁ ଖସି ପଡ଼ିଛନ୍ତି।

ଏହା ପରେ .. ଧର.. ଧରର ସ୍ୱର ଶୁଣିବାକୁ ମିଳିଥିଲା । ଗୃହମଧ୍ଯରେ ଦୌଡୁଥିବା ବେଳେ ଯୁବକଙ୍କୁ କିଛି ସାଂସଦ କାବୁ କରିଥିଲେ । ଯୁବକଙ୍କର ନାମ ସାଗର । ଅନ୍ୟପକ୍ଷରେ ସଂସଦ ବାହାରେ ମଧ୍ଯ ବିରୋଧ ପ୍ରଦର୍ଶନ କରୁଥିବା ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ଯରେ ଜଣେ ଯୁବତୀ ଅଛନ୍ତି । ସେମାନେଙ୍କର ନାମ ହେଉଛି ଅମୋଲ ସିନ୍ଦେ ଓ ନିଲମ । ଉଭୟ ସ୍ମୋକ୍ ବମ୍ ରଖିଥିଲେ ଓ ସେଥିରୁ ହଳଦିଆ ରଙ୍ଗର ଧୂଆଁ ବାହାରୁଥିଲା । ଅଭିଯୁକ୍ତଙ୍କୁ ସଂସଦ ମାର୍ଗ ଥାନାକୁ ନିଆଯାଇଛି । ସେଠାରେ ସେମାନଙ୍କୁ ପଚରାଉଚରା କରାଯାଉଛି ।

ଏହି ଘଟଣାକୁ ବିରାଟ ସୁରକ୍ଷାଗତ ତ୍ରୁଟି ବୋଲି କୁହାଯାଉଥିବା ବେଲେ ସାଂସଦ ଅଭିଯୋଗ କରିଛନ୍ତି ଯେ, ଯୁବକ ଦୁଇଜଣଙ୍କୁ ଧରିବା ସମୟରେ ସୁରକ୍ଷାକର୍ମୀଙ୍କ ଚିହ୍ନବର୍ଣ୍ଣ ନଥିଲା । ସାଂସଦ ମାନେ ମେଳିକରି ଏହି ଯୁବକଦ୍ୱୟଙ୍କୁ ଧରିଥିଲେ ।