ରାତି ଅଧରେ ଜାମିଆ ବିଶ୍ୱବିଦ୍ୟାଳୟରେ ହେଲା ବ୍ଲାଙ୍କ ଫାୟାରିଂ
ନୂଆଦିଲ୍ଲୀ: ଦିଲ୍ଲୀ ଜାମିଆ ବିଶ୍ୱବିଦ୍ୟାଳୟରେ ପୁଣି ଫାୟାରିଂ । ଗତକାଲି ବିଳମ୍ବିତ ରାତିରେ ୟୁନିଭରସିଟିର ୫ନମ୍ବର ଗେଟ୍ରେ ଗୁଳି ଫୁଟିଛି । ୨ଜଣ ଦୁର୍ବୃତ୍ତ ସ୍କୁଟିରେ ଆସି ଗୁଳି ଫୁଟାଇ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ଉପସ୍ଥିତିରେ ଗୁଳିକାଣ୍ଡକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।
ପ୍ରତିବାଦରେ ଜାମିଆ ନଗର ପୋଲିସ ଷ୍ଟେସନ୍ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ଥାନାରେ ଏତଲା ଦିଆଯାଇଛି । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ହେବ ବୋଲି ପୋଲିସ କହିଛି ।
ଏହାପୂର୍ବରୁ ଗତ ଜାନୁଆରୀ ୩୦ତାରିଖରେ ସିଏଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରକୁ ଫାୟାରିଂ ହୋଇଥିଲା । ଏଥିରେ ଜଣେ ଛାତ୍ର ଗୁରୁତର ହୋଇଥିଲେ। ଏଥିସହ ଶାହିନ ବାଗ ନିକଟରେ ମଧ୍ୟ ଗୁଳି ଫୁଟିଥିଲା ।
ଜାମିଆ ଓ ଶାହିନବାଗ ଘଟଣା ପରେ ଦକ୍ଷିଣ ପୂର୍ବ ଦିଲ୍ଲୀ ଡିସିପି ଚିନ୍ମୟ ବିଶ୍ୱାଳଙ୍କୁ ବଦଳି କରାଯାଇଛି । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ତାଙ୍କୁ ହଟାଯାଇଥିବା ଜଣାପଡିଛି।