ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରିବା ଘଟଣା, ୨ ଟ୍ରଲର ଜବତ

ଅସ୍ତରଙ୍ଗ: ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ୨ଟି ଟ୍ରଲର ଜବତ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀ ମୁହାଣରେ ବେଆଇନ ଭାବେ ମାଛ ମାରୁଥିବା ବେଳେ କୋଷ୍ଟ ଗାର୍ଡ ଚଢ଼ାଉ କରି ୨ଟି ଟ୍ରଲରକୁ ଜବତ କରିଛି। ବନ ବିଭାଗ, ତଟରଖି ବାହିନୀ ଓ ସାମୁଦ୍ରିକ ମତ୍ସ୍ୟବିଭାଗ ମିଳିତ ଭାବରେ ଚଢ଼ାଉ କରି ନୂଆଗଡ ଜେଠି ନିକଟରୁ ୨ ଟ୍ରଲର ଜବତ କରିଛି।

ଏହି ୨ଟି ଟ୍ରଲରରୁ ୨୫ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ପଚରାଉଚରା କରୁଛି ମିଳିତ ଟିମ୍ । ଦେବୀ ନଦୀମୁହାଣ ପାର୍ଶ୍ଵବର୍ତ୍ତୀ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ଖବର ପାଇଥିଲେ ବନବିଭାଗ । ସାମୁଦ୍ରିକ ମତ୍ସ୍ୟବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶରେ ଟିମ୍ ରେଡ କରିଥିଲା। ଜବତ ଟ୍ରଲର ମଧ୍ୟରେ ବାଲେଶ୍ୱର ଅଂଚଳର ଚିନ୍ମୟୀ, ପାରାଦ୍ୱୀପର ମା ବୃନ୍ଦାବତୀ ଟ୍ରଲର ରହିଛି।

ତେବେ ସମୁଦ୍ର ଉପକୂଳରେ ଅଲିଭ୍ ରିଡେଲ୍ କଇଁଛଙ୍କ ସୁରକ୍ଷିତ ଆଗମନ ଓ ଅଣ୍ଡା ଦାନ ଏବଂ ପ୍ରଜନନ ପାଇଁ ସମୁଦ୍ର ଉପକୂଳରୁ ୫କିଲୋମିଟର ଏବଂ ଦେବୀ ନଦୀମୁହାଣର ୧୦କିଲୋମିଟର ମଧ୍ୟରେ ଯନ୍ତ୍ର ଚାଳିତ ଡଙ୍ଗାରେ ମାଛ ଧରିବା ଉପରେ କଟକଣା ଜାରି ହୋଇଛି।