ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ, ବ୍ୟାଙ୍କ ମ୍ୟାନେଜର ହତ୍ୟାକାଣ୍ଡରେ ଥିଲେ ସାମିଲ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସକୁ ସଫଳତା  । କୁଲଗାମ ବ୍ୟାଙ୍କ ମ୍ୟାନେଜର ହତ୍ୟାକାଣ୍ଡର ହତ୍ୟାକାରୀକୁ ଏନକାଉଣ୍ଟର  । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ  । ମୃତ ୨ ଆତଙ୍କବାଦୀ ଲସ୍କର ଏ ତୋଏବା (ଏଲଇଟି)ସଙ୍ଗଠନର ସଦସ୍ୟ ଥିଲେ  ।

ମୃତ ଆତଙ୍କବାଦୀର ପରିଚୟ ମିଳିଛି  । କାଶ୍ମୀର ସୋପିଆନର ଜାନ ମହମ୍ମଦ ଲୋନ ଅନ୍ୟାନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବାବେଳେ ଗତ ଜୁନ ୨ରେ କୁଲଗାମ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାର ହତ୍ୟାରେ ସାମିଲ ଥିଲା  । ସିସିଟିଭି ଫୁଟେଜରେ ସୋପିଆନର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଲୋନକୁ ଦେଖିଥିଲା ପୋଲିସ  । ଏହାପରେ ପରିବାରକୁ ଡକାଇ ଲୋନର ପରିଚୟ ଚିହ୍ନଟ କରିଥିଲା।

ମୃତକଙ୍କ ମଧ୍ୟରେ ଆଉ ଜଣେ ଆତଙ୍କବାଦୀ ହେଉଛି ତୁଫେଲ ଜନାଇ  । ସୋପିଆନ କଞ୍ଚିଉଲାରରେ ଏହି ୨ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ  । ଅଞ୍ଚଳକୁ ଚାରିପଟୁ ଘେରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା  । ଏହି ସମୟରେ ଗୁଳିମାଡ ଆରମ୍ଭ କରି ଦେଇଥିଲେ ୨ ଆତଙ୍କବାଦୀ । ଯାହାର ପାଲଟା ଜବାବ ଦେବାକୁ ଯାଇ ପୋଲିସ ଗୁଳିରେ ୨ ଆତଙ୍କବାଦୀ ପ୍ରାଣ ହରାଇଥିଲେ  ।