ରେଳ ଓ୍ବାଗନରୁ ବୋମା ଜବତ ଘଟଣାରେ ଦୁଇ କର୍ମଚାରୀ ନିଲମ୍ବିତ
ବଲାଙ୍ଗୀର: କଣ୍ଟାବାଞ୍ଜି ଷ୍ଟେସନରେ ଏକ ମାଲଗାଡ଼ି ଓ୍ବାଗନରୁ ବୋମା ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ଦୁଇ କର୍ମଚାରୀ । କାର୍ଯ୍ୟରେ ଅବହେଳା ପାଇଁ ସେମାନଙ୍କୁ ସସପେଣ୍ଡ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପୂରା ଘଟଣାର ତଦନ୍ତ କରୁଛି ।
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନରେ ଯାଞ୍ଚ ବେଳେ ଗୋଟିଏ ମାଲଗାଡ଼ିର ୱାଗନରୁ ୧୨ଟି ଜୀବନ୍ତ ବୋମା ଜବତ ହୋଇଥିଲା । ୧୫୫ ଏମ୍ଏମ ବିଶିଷ୍ଟ ଏହି ବୋମା ବୋଫର୍ସ ତୋପରେ ବ୍ୟବହାର ହୁଏ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ ଫୁଲଗାଓରୁ କିଛି ବୋମା ବଡ଼ମାଲ ଗୋଲାବାରୁଦ କାରଖାନାକୁ ଆସିଥିଲା । ଗୋଟିଏ ୟୁନିଟ୍ ବୋମା ରେଳ ୱାଗନରେ ରହି ଯାଇଥିଲା । ବଡ଼ମାଲ ଗୋଳାବାରୁଦ କାରଖାନାର ଅଧିକାରୀଙ୍କ ସହିତ ଆଲୋଚନା ପରେ ରେଳ କର୍ତ୍ତୃପକ୍ଷ ସେହି ବୋମାକୁ ବଡ଼ମାଲ ଅର୍ଡିନାନସ ଫ୍ୟାକଟ୍ରିର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ ।