ସୋନାଲିଙ୍କୁ ଛାଡି ଏକାସହ ଚାଲିଗଲେ ଦୁଇ ଭଉଣୀ, ପିଲାବେଳର ସାଙ୍ଗ ବି ଆଖିବୁଜିଲେ

ବ୍ରହ୍ମପୁର: ଦିଗପହଣ୍ଡି ଖେମୁଣ୍ଡି କଲେଜ ଛକରେ ଭୟଙ୍କର ବସ୍‌ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଅଛନ୍ତି । ସବୁଠୁ ଦୁଃଖର ଘଟଣା ହେଉଛି, ଦୁର୍ଘଟଣାରେ ଖଣ୍ଡଦେଉଳିର ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକ ସମସ୍ତେ ନବବିବାହିତ ସୋନାଲି ପ୍ରଧାନଙ୍କ ସମ୍ପର୍କୀୟ । ଦୁର୍ଘଟଣାରେ ବଡ଼ ଭଉଣୀ ଶିବାନୀ ପ୍ରଧାନ ଓ ସାନ ଭଉଣୀ ରୂପାଲିଙ୍କ ମୃତ୍ୟୁ ହୋଇଛି । ଶିବାନୀ ଶିକ୍ଷକତା କରୁଥିଲେ । ଭଉଣୀ ବିବାହ ରିସେପସନରେ ଯୋଗଦେବାକୁ ଯାଇଥିଲେ ହେଲେ ଫେରିଲା ତାଙ୍କ ମୃତଦେହ । ବଡ଼ବାପା ତ୍ରିପତି ପ୍ରଧାନ, କକା ରମେଶ ପ୍ରଧାନ ଓ ସମ୍ପର୍କୀୟ କକା ସୀତାରାମଙ୍କ ମଧ୍ୟ ଏଥିରେ ଜୀବନ ଯାଇଛି ।

ବଡ଼ବାପା ଝିଅ ଭଉଣୀ ସୁଜ୍ଞାନୀ ପ୍ରଧାନଙ୍କର ମଧ୍ୟ ଜୀବନ ଯାଇଛି । କେବଳ ସେତିକି ନୁହେଁ ୩ ବର୍ଷୀୟ ପୁତୁରା ଦେବାଂଶୁ ଓ ବର୍ଷକର ପୁତୁରା ହାର୍ଦ୍ଦିକଙ୍କର ମୃତ୍ୟୁ ହୋଇଛି । ସେପଟେ ସୁଜ୍ଞାନୀଙ୍କ ସ୍ବାମୀ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଏମାନେ ତ ଥିଲେ ପରିବାର । ଏମାନଙ୍କ ସହ ଯାଇଥିଲେ ସୋନାଲିଙ୍କ ପିଲାବେଳର ସାଙ୍ଗ ସଙ୍ଗୀତା । ସେ ମଧ୍ୟ ବସ୍ ଦୁର୍ଘଟଣାରେ ଜୀବନ ହରାଇଛନ୍ତି । ସୋନାଲିଙ୍କ ସାଙ୍ଗ ସଙ୍ଗୀତା ଡାକୁଆଙ୍କ । ବୟସ ୩୨ । ଗଡ଼ଗୋବିନ୍ଦପୁରରେ ବିବାହ କରିଥିଲେ । ତାଙ୍କର ୪ବର୍ଷର ପୁଅ ଅଛି । ପୁଅକୁ ନେଇ ସାଙ୍ଗ ରିସେପସନକୁ ଯାଇଥିଲେ ସଙ୍ଗୀତା । ହେଲେ କାଳରାତ୍ରିରେ ଚାଲିଗଲା ଜୀବନ । ବସ୍‌ ଧକ୍କାରେ ସଙ୍ଗୀତା ତ ଚାଲିଗଲେ ହେଲେ ଛାଡ଼ିଗଲେ ୪ ବର୍ଷର ପୁଅକୁ । ପୁଅର ହାତ ଭାଙ୍ଗିୟାଇଛି । ସ୍ତ୍ରୀ ସଙ୍ଗୀତାଙ୍କୁ ହରାଇ ସ୍ବାମୀ ନିଜକୁ ସମ୍ଭାଳିପାରୁନାହାନ୍ତି । ବାରମ୍ବାର ବେହୋସ ହୋଇପଡ଼ୁଛନ୍ତି ।