ଦୁଇଟି ଅଭାବନୀୟ ଘଟଣା: ରାଜଧାନୀରେ ଶିଶୁ ପୁତ୍ରର ମୃତଦେହକୁ ଝୁଣି ଖାଇଲା କୁକୁର
ଭୁବନେଶ୍ବର: ରାଜ୍ୟରେ ଦେଖିବାକୁ ମିଳିଛି ଦୁଇଟି ଅଭାବନୀୟ ଘଟଣା । ଗୋଟିଏ ରାଜଧାନୀ ଭୁବନେଶ୍ବରରେ ଓ ଅନ୍ୟଟି ନୂଆପଡ଼ା ଜିଲ୍ଲାରେ । ଆଜିର ସମାଜରେ ମଣିଷର ମାନବିକତା ଯେ ହଜି ଯାଇଛି ତାହା ଏହି ଦୁଇଟି ଘଟଣା ପ୍ରମାଣିତ କରିଛି । ରାଜଧାନୀର ନୟାପଲ୍ଲୀ ଅଞ୍ଚଳରୁ ଉଦ୍ଧାର ହେଲା ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଶିଶୁ ପୁତ୍ରର ମୃତଦେହକୁ ଝୁଣି ଖାଇଲା କୁକୁର । ବିଭତ୍ସ ଦୃଶ୍ୟ ଦେଖି ପୋଲିସକୁ ଖବର ଦେଲେ ସ୍ଥାନୀୟ ଲୋକେ । ନବଜାତକ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ ।
ସେହିପରି ନୂଆପଡା ଜିଲ୍ଲାରୁ କର୍ଣ୍ଣାଟକକୁ ଦାଦନ ଖଟି ଯାଇଥିବା ଶ୍ରମିକଙ୍କ ନାବାଳକର ଏଭଳି ଦୁଃଖଦ ମୃତ୍ୟୁ ଘଟିଛି | ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଢୋର୍ଲାମୁଣ୍ଡା ଗାଁର ମାଲଭଟା ପଡ଼ାର ହନସିଂ ମାଝୀ, ସ୍ତ୍ରୀ ନୂତନୀ ସହ କର୍ଣ୍ଣାଟକର କୁପଲ ଜିଲ୍ଲା ଜିନ୍ଦଗିରି ଗାଁର ଇଟାଭାଟିରେ କାମ କରୁଥିଲେ। ଗାଁରେ ନିଜ ଆଈଙ୍କ ନିକଟରେ ନିଜ ପୁଅ ସୁଶାନ୍ତକୁ ଛାଡ଼ି ଯାଇଥିଲେ । ପୁଅ ସୁଶାନ୍ତ ଗାଁରେ ରହି ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ତାକୁ ଝାଡ଼ାବାନ୍ତି ହେଉଥିବା ଖବର ପାଇ ସୁଶାନ୍ତ କୁ ପାଖକୁ ନେଇ ଯାଇଥିଲେ। ବୁଧବାର ମଧ୍ୟାହ୍ନରେ ପିଲାଟି ସ୍ଥାନୀୟ ଏକ ଦୋକାନକୁ କିଛି ସାମଗ୍ରୀ କିଣିବାକୁ ଯାଇଥିବା ସମୟରେ ରାସ୍ତାରେ ବୁଲାକୁକୁରମାନେ ତାକୁ ଗୋଡ଼ାଇ ଅତର୍କିତ ଭାବେ ଝାମ୍ପ ମାରିଥିଲେ। ଭୟରେ ପିଲାଟି ତଳେ ପଡ଼ିଯିବା ପରେ ଭୋକିଲା କୁକୁରମାନେ ତାକୁ କାମୁଡ଼ି କାମୁଡ଼ି ମାରିଦେବା ପରେ ଝୁଣି ଝୁଣି ମାଂସ ଖାଇଯାଇଥିଲେ। ପରିବାର ଲୋକ ପିଲାଟିକୁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଗରିବ ଦାଦନ ପରିବାର ପେଟ ପାଇଁ ରାଜ୍ୟ ବାହାରକୁ ଯାଇ ନିଜ ଏକ ମାତ୍ର ପୁଅ କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି। ଅନ୍ୟ ପଟେ ଗରିବ ବାପା ମା ନିଜ ମୃତ ପୁଅକୁ ନୂଆପଡାକୁ ନ ଆଣି ସେହି ସ୍ଥାନ ରେ ସତ୍କାର କରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।। ନିଜ ଗାଁ ରେ ଶୋକ ର ଛାୟା ଖେଳିଯାଇଛି।