ଥିରୁଅନନ୍ତପୁରମ୍: କେରଳରେ ରାଜନୈତିକ ଶତ୍ରୁତାରୁ ବୀଭତ୍ସ ହତ୍ୟା । ସୋଶିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ଏବଂ ଭାରତୀୟ ଜନତା ପାର୍ଟିର ଦୁଇ ରାଜ୍ୟସ୍ତରୀୟ ନେତାଙ୍କୁ ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଛି ବୋଲି ପୋଲିସ କହିଛି । ବିଜେପି ନେତାଙ୍କ ହତ୍ୟା ଘଟଣାରେ ପୋଲିସ ସନ୍ଦେହରେ ଏ ପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରିଛି । ୧୨ ଘଣ୍ଟାରେ ଦୁଇ ରାଜ୍ୟସ୍ତରୀୟ ନେତାଙ୍କୁ ହତ୍ୟା ପରେ ଆଲାପୁଜ୍ଜା ଜିଲ୍ଲାରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଛି ।

ସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ କରାଯାଇଛି । ଶନିବାର ବିଳମ୍ବିତ ରାତିରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆର ନେତା କେ.ଏସ୍ ଶାନଙ୍କୁ ହତ୍ୟା କରାଯାଇଥିଲା। ସେ ବାଇକରେ ଯାଉଥିବା ବେଳେ ପଛପଟୁ ଏକ କାର୍ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ତଳେ ପଡ଼ିଯିବା ପରେ କିଛି ଲୋକ କାରରୁ ବାହାରି ତାଙ୍କୁ ଆକ୍ରମଣ କରିଥିଲେ । ଅତି ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ମୁତାବକ ତାଙ୍କ ଶରୀରରେ ୪୦ରୁ ଅଧିକ କ୍ଷତ ଚିହ୍ନଟ ହୋଇଥିଲା। ଏହି ହତ୍ୟାକାଣ୍ଡ ପାଇଁ SDPI ଆରଏସଏସକୁ ଦାୟୀ କରିଥିଲା। ଏହା ପରଦିନ ଅର୍ଥାତ ରବିବାର ସକାଳୁ କେତେଜଣ ଦୁର୍ବୃତ୍ତ ବିଜେପି ଓବିସି ମୋର୍ଚ୍ଚାର ସଚିବ ରଞ୍ଜିଥ ଶ୍ରୀନିବାସନଙ୍କୁ ଘର ଭିତରେ ପଶି ହତ୍ୟା କରିଥିଲେ । SDPI ନେତା କେ.ଏସ୍ ଶାନଙ୍କ ହତ୍ୟାର ପ୍ରତିଶୋଧରେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Leave a Reply