ବର୍ତ୍ତିଗଲେ ୪୦୦ ଯାତ୍ରୀ, ୩ ହଜାର ଫୁଟରେ ଘଟିଥାନ୍ତା ଦୁର୍ଘଟଣା

1 min read

ଭୁବନେଶ୍ୱର: ମଝିଆକାଶରେ ମୁହାଁମୁହିଁ ହୋଇ ଚୂରମାର ହୋଇଯାଇଥାନ୍ତା ଦୁଇ ଯାତ୍ରୀବାହୀ ବିମାନ । ୩ ହଜାର ଫୁଟରେ ହୋଇଥାନ୍ତା ଟକ୍କର । ପ୍ରାଣ ହରାଇଥାନ୍ତେ ୪୦୦ରୁ ଅଧିକ ଯାତ୍ରୀ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦୁଇ ବିମାନ ଭିତରୁ ଗୋଟିଏ ଆସୁଥିଲା ବେଙ୍ଗାଳୁରୁରୁ ଭୁବନେଶ୍ୱର । ସାମାନ୍ୟ ତ୍ରୁଟି ଯୋଗୁ ୩ ହଜାର ଫୁଟ ଉଚ୍ଚରେ ଘଟିଥାନ୍ତା ଦୁଇ ବିମାନ ମଧ୍ୟରେ ଟକ୍କର । ତେବେ ଜଣେ ରାଡାର ନିୟନ୍ତ୍ରକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଶେଷ ମୁହୂର୍ତ୍ତରେ ଏଡ଼ାଇ ଦିଆଯାଇଥିଲା ଦୁର୍ଘଟଣା । ବେଙ୍ଗାଳୁରୁର କେମ୍ପେଗୌଡା ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏକ ଇଣ୍ଡିଗୋ 6E 455 ବିମାନ କୋଲକାତା ଅଭିମୁଖେ ଯାଉଥିବାବେଳେ ଅନ୍ୟ ଏକ ଇଣ୍ଡିଗୋ ବିମାନ 6E 246 ବେଙ୍ଗାଳୁରୁରୁ ଭୁବନେଶ୍ବର ଯିବାର ଅଥିଲା । ଏହି ଦୁଇଟିଯାକ ବିମାନ Airbus A320 ଭାରିଆଣ୍ଟର ଥିଲା ।

ବେଙ୍ଗାଳୁରୁ ଏୟାରପୋର୍ଟରେ ନର୍ଥ ଓ ସାଉଥ ରନଓ୍ବେ ରହିଛି । ଏହି ବିମାନ ବନ୍ଦରରୁ ବିମାନଗୁଡିକ ନର୍ଥ ରନଓ୍ବେରୁ ଉଡାଣ କରୁଥିବାବେଳେ ସାଉଥ ରନଓ୍ବେରେ ଲ୍ୟାଣ୍ଡିଂ କରୁଥିଲେ । ତେବେ ଜାନୁଆରୀ ୭ ତାରିଖରେ ସାଉଥ ରନଓ୍ବେ ବନ୍ଦ କରିଦିଆଯାଇଥିବାବେଳେ କେବଳ ନର୍ଥ ରନଓ୍ବେ କାର୍ଯ୍ୟକ୍ଷମ ଥିଲା । ମାତ୍ର ଏନେଇ ସାଉଥ ଟାଓ୍ବାର କଣ୍ଟ୍ରୋଲରଙ୍କୁ ସୂଚନା ଦିଆଯାଇ ନଥିଲା । ସାଉଥ ଟାଓ୍ବାର କଣ୍ଟ୍ରୋଲର ବିମାନଗୁଡିକୁ ଉଡାଣ ଲାଗି ଅନୁମତି ଦେଉଥିବାବେଳେ ନର୍ଥ ଟାଓ୍ବାର କଣ୍ଟ୍ରୋଲର ମଧ୍ୟ ଭୁବନେଶ୍ବର ଆସିବାକୁ ଥିବା ବିମାନକୁ ଅନୁମତି ଦେଇଥିଲେ । ଆଶ୍ଚର୍ଯ୍ୟର କଥା ଦୁଇ କଣ୍ଟ୍ରୋଲରଙ୍କ ମଧ୍ୟରେ ଏନେଇ ସୂଚନା ଆଦାନପ୍ରଦାନ କରାଯାଇ ନଥିଲା । ଏକା ଦିଗରେ ଦୁଇଟି ଯାକ ବିମାନକୁ ଅନୁମତି ଦେବାର ବିଧି ନଥିବାବେଳେ ଏକ ସମୟରେ ଏହି ଦୁଇଟି ବିମାନକୁ ଅନୁମତି ଦିଆଯାଇଥିଲା ।

ଫଳରେ ଆକାଶ ମାର୍ଗରେ ଏକ ନିଶ୍ଚିତ ଦୁର୍ଘଟଣା ଘଟିବାର ଆଶଙ୍କା ଥିଲା । ମାତ୍ର ଏହା ଜାଣିପାରି ଜଣେ ରାଡାର କଣ୍ଟ୍ରୋଲର ଲୋକେନ୍ଦ୍ର ସିଂହ ବିମାନର ଗତି ପରିବର୍ତ୍ତନ ଲାଗି ତତକ୍ଷଣାତ ସୂଚନା ଦେଇଥିଲେ । ଫଳରେ ଦୁର୍ଘଟଣା ରୋକାଯାଇପାରିଥିଲା । ଏହି ଗୁରୁତର ଘଟଣାକୁ ଲଗ୍ ବୁକ୍‌ରେ ଉଲ୍ଲେଖ କରାଯାଇ ନଥିଲା କିମ୍ବା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏଙ୍କ ନିକଟରେ କୌଣସି ପ୍ରତିକ୍ରିୟା ରଖାଯାଇ ନଥିଲା । ଏହି ଘଟଣାକୁ ଡିଜିସିଏ ଗୁରୁତର ସହ ନେଇଛି ଏବଂ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି । ବେଙ୍ଗାଳୁରୁ- କୋଲକାତା ବିମାନରେ ୧୭୬ ଯାତ୍ରୀ ଓ ୬ କର୍ମଚାରୀ ଥିବାବେଳେ ବେଙ୍ଗାଳୁରୁ- ଭୁବନେଶ୍ୱର ବିମାନରେ ୨୩୮ ଓ ୬ କର୍ମଚାରୀ ଥିଲେ । ଦୁଇଟି ବିମାନରେ ମୋଟ ଯାତ୍ରୀ ଓ କର୍ମଚାରୀଙ୍କ ସଂଖ୍ୟା ଥିଲା ୪୨୬ ।

Leave a Reply