spot_img

Latest Posts

IT ରେଡ୍ ନେଇ ସୋନୁ ସୁଦଙ୍କ ମନ୍ତବ୍ୟ; ‘୨ ଦଳ ଯାଚି ଥିଲେ ରାଜ୍ୟସଭା ଆସନ, ମୁଁ ମନା କଲି’

ମୁମ୍ବାଇ: ଲକଡାଉନ୍ କାଳରେ ଗରିବଙ୍କ ତ୍ରାଣକର୍ତ୍ତା ହୋଇ ଉଭା ହୋଇଥିବା ସୋନୁ ସୁଦ୍ ଏବେ ନିଜେ ଆଇନର ହରଡ଼ଘଣାରେ ପଡ଼ିଛନ୍ତି । ଆୟକର ବିଭାଗ ତାଙ୍କ ଆୟବ୍ୟୟର ଖୋଳତାଡ଼ କରୁଛି । ସୋନୁ ୨୦ କୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗ ହେଉଛି । ଏହା ସହିତ ସୋନୁ ଏକ ଜାଲି କମ୍ପାନି ଜରିଆରେ ନିଜ ଟଙ୍କା ଏପଟ ସେପଟ କରୁଥିଲେ ବୋଲି ମଧ୍ୟ କୁହାଯାଉଛି । ତେବେ ସତ କ’ଣ ? ସୋନୁ ସୁଦ୍ ବିଦେଶରୁ ଲୋକଙ୍କୁ ସାହାଯ୍ୟ କରିବା ଆଳରେ ଯେଉଁ ଟଙ୍କା ସଂଗ୍ରହ କରୁଥିଲେ ତାହା କ’ଣ ଠିକ ଲୋକଙ୍କ ପାଖରେ ପହଞ୍ଚୁଥିଲା କି ? ଏତେ ସବୁ ଅଭିଯୋଗ ପରେ ସୋନୁ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ସୋନୁ କହିଛନ୍ତି ସତ କ’ଣ ସମୟ କହିବ ।

ସୋନୁ ସୋସିଆଲ ମିଡିଆରେ ଆଇଟି ରେଡକୁ ନେଇ ପ୍ରଥମ ଥର ପାଇଁ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ‘ଆପଣଙ୍କୁ ସବୁବେଳେ ନିଜ ପକ୍ଷର ସତ ବାବଦରେ ସଫେଇ ଦେବାକୁ ପଡ଼େ ନାହିଁ.. ସମୟ ସବୁକିଛି କହିଥାଏ।’ ସୋନୁ ଆହୁରି ଲେଖିଛନ୍ତି, ‘ମୁଁ ପୁରା ସଚ୍ଚୋଟତା ସହିତ ଦେଶର ଲୋକଙ୍କୁ ସାହାଯ୍ୟ କରୁଛି। ମୋର ଫାଉଣ୍ଡେସନ୍ ସର୍ବଦା ଲୋକଙ୍କ ଜୀବନ ବଞ୍ଚାଇବାକୁ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଥାଏ। ମୁଁ ଗତ ଚାରି ଦିନ ଧରି ଟିକେ ବ୍ୟସ୍ତ ଥିଲି ତେଣୁ ଆପଣମାନଙ୍କୁ ସାହାଯ୍ୟ କରି ପାରିନାହିଁ। ବର୍ତ୍ତମାନ ମୁଁ ଆପଣଙ୍କୁ ପୁଣିଥରେ ସାହାଯ୍ୟ କରିବାକୁ ଆସିଯାଇଛି। ମୋ ଯାତ୍ରା ଏହିଭଳି ଆଗକୁ ବି ଜାରି ରହିବ ।’

https://www.instagram.com/p/CUB7__bKqWi/?utm_source=ig_embed&ig_rid=ae959f4e-e3c2-4aca-9470-04aac1b16966

ସୋନୁ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ ଯେ, ଦୁଇ ଦୁଇଟି ରାଜନୈତିକ ଦଳ ତରଫରୁ ତାଙ୍କୁ ରାଜ୍ୟସଭାର ସିଟ୍ ଅଫର୍ କରାଯାଇଥିଲା । କିନ୍ତୁ ସୋନୁ ରୋକଠୋକ ମନା କରିଦେଇଥିଲେ । ରାଜନୀତି କରି ସେ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ନାହିଁ ବୋଲି କହିଥିଲେ । ତାସହ ବର୍ତ୍ତମାନ ଯେଉଁସବୁ ଯାଞ୍ଚ ଚାଲିଛି ତାର ସଠିକ୍ ଓ ଉପଯୁକ୍ତ ଦସ୍ତାବିଜ ସେ ଆୟକର ବିଭାଗକୁ ପ୍ରଦାନ କରିଛନ୍ତି । ସୋନୁ କହିଛନ୍ତି ମୁଁ ମୋର କର୍ତ୍ତବ୍ୟ କରୁଛି ଓ ସେମାନେ ସେମାନଙ୍କର କର୍ତ୍ତବ୍ୟ କରୁଛନ୍ତି । ସେ କହିଛନ୍ତି ତାଙ୍କୁ ଦାନରେ ମିଳିଥିବା ଗୋଟି ଗୋଟି ଟଙ୍କାର ହିସାବ ସେ ଦେଇପାରିବେ ।

ଆୟକର ବିଭାଗର ସୂଚନା ଅନୁସାରେ, ସୋନୁ ସୁଦ ଫିଲ୍ମରେ ଅଭିନୟ ବାବଦରେ ପାଉଥିବା ଟଙ୍କାକୁ ନକଲି କମ୍ପାନୀ ମାଧ୍ୟମରେ ବେଆଇନ ଋଣ ଭାବେ ଦେଖାଇଛନ୍ତି । ୨୦୨୦ ଜୁଲାଇ ୨୧ ତାରିଖରୁ ଏବେ ସୁଦ୍ଧା ସୋନୁ ସୁଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚ୍ୟାରିଟି ଫାଉଣ୍ଡେସନ ପ୍ରାୟ ୧୮.୯୪ କୋଟି ଟଙ୍କା ଦାନ ଭାବେ ଏକତ୍ର କରିଛି ଯେଉଁଥିରେ ୧.୯ କୋଟି ଟଙ୍କା ରିଲିଫ କାର୍ଯ୍ୟରେ ଖର୍ଚ୍ଚ କରାଯାଇଛି ଏବଂ ୧୭ କୋଟି ଟଙ୍କା ଏବେ ବି ଅଛି। ଯାଞ୍ଚ ବେଳେ ଜଣାପଡିଛି ଯେ FCRA ଉଲ୍ଲଂଘନ କରି ସୋନୁ ସୁଦଙ୍କ ଏହି ଚ୍ୟାରିଟି ଫାଉଣ୍ଡେସନରେ ୨.୧ କୋଟି ଟଙ୍କା ଜମା କରିଛନ୍ତି ।

ଆଇଟି ବିଭାଗ ସୋନୁଙ୍କ ବିରୋଧରେ ପ୍ରମାଣ ଏକାଠି କରୁଥିବା ବେଳେ ସୋନୁଙ୍କ ସମର୍ଥକ ଏହାର ରାଜନୈତିକ ଷଡ଼ଯନ୍ତ୍ର ଦିଗ ଖୋଜିବାରେ ଲାଗିଛନ୍ତି । ଆମ୍ ଆଦମି ପାର୍ଟି ସହିତ ନିକଟତା ବିଜେପିକୁ ଭଲ ଲାଗିଲା ନାହିଁ ତେଣୁ ତାଙ୍କ ବିରୋଧରେ ଆଇଟିକୁ ଲଗାଯାଇଛି ବୋଲି ସମର୍ଥକ କହୁଛନ୍ତି । ତେବେ ଯେମିତି ସୋନୁ କହିଛନ୍ତି ସେମିତି ସମୟକୁ ଅପେକ୍ଷା କରିବାକୁ ପଡିବ । କାରଣ ସମୟ ହିଁ କହିବ କିଏ ସତ କହୁଛନ୍ତି ସୋନୁ ନା ଆୟକର ବିଭାଗ ।

Latest Posts

Don't Miss