ନାମାଙ୍କନ ପତ୍ରରେ ସ୍ବାକ୍ଷର କଲେ ଓଡିଶାର ଦୁଇ ମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ଏନଡିଏ ପ୍ରାର୍ଥୀ ତଥା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିବେ  । ନାମାଙ୍କନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଫୋନ୍ ଯୋଗେ କଥା ହୋଇଥିଲେ । ନାମାଙ୍କନ ଉତ୍ସବରେ ଉପସ୍ଥିତ ରହିବା ପାଇଁ କହିଥିଲେ । ସମର୍ଥନ ଜଣାଇ ନବୀନ ନିଜ କ୍ୟାବିନେଟର ଦୁଇ ମନ୍ତ୍ରୀଙ୍କୁ ନାମାନଙ୍କନ ସମୟରେ ଉପସ୍ଥିତ ରହିବା ସହ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ  ।

ଆଉ ଏବେ କ୍ୟାବିନେଟର ଦୁଇ ମନ୍ତ୍ରୀ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ଭାବେ ସ୍ବାକ୍ଷର କରିଛନ୍ତି । ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସରକା ଏବଂ ଟୁକୁନି ସାହୁ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିଛନ୍ତି । ଏହି ଅବସରରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଦୁଇ ମନ୍ତ୍ରୀ ଆସନ୍ତାକାଲି ନାମାଙ୍କନ ଦାଖଲ ସମୟରେ ମଧ୍ୟ ଉପସ୍ଥିତ ରହିବେ  । ସୂଚନାଯୋଗ୍ୟ ଗତ କାଲି ବିଜେଡି ସୁପ୍ରିମୋ ନବୀନ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲେ  ।