ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଦୁଇ ମାଓବାଦୀଙ୍କ ମୃତଦେହ ଠାବ

ଛତିଶଗଡ଼ର ବିଜାପୁର ଜିଲ୍ଲାର ଗଙ୍ଗାଲୁର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ଏହି ଏନକାଉଣ୍ଟରରେ ନକ୍ସଲପନ୍ଥିଙ୍କ ମଧ୍ୟ ବହୁତ କ୍ଷତି ହୋଇଥିବା ବସ୍ତର ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି । ଗଙ୍ଗାଲୁର ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ଘଟଣାସ୍ଥଳରୁ ବନ୍ଧୁକ ସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ମୃତ ମାଓବାଦୀ ହେଉଛନ୍ତି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ବିଜୟ ରେଡ୍ଡି ଓ ଡିଭିସିଏମ ମେମ୍ବର ଲୋକେସ ସଲାମେ ।