ରକ୍ଷାଣବେକ୍ଷଣା ଅଭାବରୁ ସତ୍ତା ହରାଇଲାଣି ଯାଜପୁରର ବ୍ରହ୍ମାକୁଣ୍ଡ ଏବଂ ଭଗବତୀ ଗଙ୍ଗା ପୁଷ୍କରିଣୀ
ଯାଜପୁର : ପୁରାଣ ବର୍ଣ୍ଣିତ ବ୍ରହ୍ମାକୁଣ୍ଡ । କିମ୍ବଦନ୍ତୀ କୁହେ ତ୍ରିବେଣୀ ଅମାବାସ୍ୟାରେ ମାଆ ବିରଜା ଏହି ଯଜ୍ଞ କୁଣ୍ଡରୁ ଆବିର୍ଭାବ ହୋଇଥିଲେ । ମାଆଙ୍କ ଶାରଦୀୟ ପୁଜା ଠାରୁ ଆରମ୍ଭ କରି ସମସ୍ତ ପୂଜାର୍ଚ୍ଚନା ଜଳ ଏହି ଠାରୁ ନିଆଯାଏ । କିନ୍ତୁ ଏହି ପୁଷ୍କରିଣୀ ଏବେ ଅବହେଳିତ ଅବସ୍ଥାରେ ପଡିରହିଛି । ବିରଜା ମନ୍ଦିର ପ୍ରକଳ୍ପ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ପ୍ରକଳ୍ପ ନକ୍ସାରେ ଏହା ସ୍ଥାନ ପାଇଥିଲେ ବି ଏହାର ରକ୍ଷଣାବେକ୍ଷଣ କି ଉନ୍ନତିକରଣ କରାଯାଇପାରିନି । ଅନ୍ୟପଟେ ଦେଖନ୍ତୁ ବୈତରଣୀ କୂଳରେ ବରାହନାଥଙ୍କ ନିକଟରେ ଥିବା ଏ ହେଉଛି ଭଗବତୀ ଗଙ୍ଗା ପୁଷ୍କରିଣୀ । ପୈାରାଣିକ ପ୍ରମାଣ ରହିଛି ବକୁଳ ଅମାବାସ୍ୟାରେ ପ୍ରଭୁ ବରାହ ଏଠାରୁ ଆର୍ବିଭୂତ ହୋଇଥିଲେ । ଏଠାରେ ବରାହ ପ୍ରକଳ୍ପ କରାଯାଇ ପୋଖରୀର କିଛି ମାତ୍ରାରେ ଉନ୍ନତି କରାଯିବା ସହିତ ପାଖରେ ମ୍ଯୁଜିୟମ କରାଯାଇଛି । କିନ୍ତୁ ନାନା ଅବର୍ଜନା ଓ ଅସାମାଜିକ କାର୍ଯ୍ୟକଳାପ କାରଣରୁ ଏହି ପୁଷ୍କରିଣୀ ଏବେ ଅଳିଆ କୁଣ୍ଡ ହୋଇ ପଡିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ଏହାର ରକ୍ଷଣାବେକ୍ଷଣ ହୋଇପାରୁନି । ଫଳରେ ଏହାର ଜଳ ଠାକୁରଙ୍କ କାର୍ଯ୍ଯରେ ଲାଗିପାରୁ ନଥିବା ଅଭିଯୋଗ କରିଛନ୍ତି ସେବାୟତ ।
ଯାଜପୁରରେ ବିରଜା ଓ ବରାହ ପ୍ରକଳ୍ପର ଉନ୍ନତିକରଣ ପାଇଁ ପ୍ରକଳ୍ପ ପରିକଳ୍ପନା କରିଥିଲେ ପୂର୍ବ ସରକାର । ହେଲେ ଏବେ ଏହି ଦୁଇଟି ସ୍ଥାନ ରକ୍ଷାଣବେକ୍ଷଣ ଅଭାବରୁ ଅବହେଳିତ ଅବସ୍ଥାରେ ପଡିରହିଛି । ଯେଉଁଥିପାଇଁ ସଂସ୍କୃତି ଗବେଷକ ତଥା ବୁଦ୍ଧୀଜୀବୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ସେପଟେ ଏହି ଦୁଇ କ୍ଷେତ୍ରରେ ଥିବା ପୌରାଣିକ ପୁଷ୍କରିଣୀର ଉନ୍ନତି କରାଯାଉଛି । ବାକି ଯାହା ଯୋଜନା କରାଯାଇଛି ତାହା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ପ୍ରଶାସନ ଅଗୋଚରରେ ଅବହେଳିତ ଭାବେ ନିଜର ପୁଣ୍ୟତା ହରାଉଥିବା ଏହି ଦୁଇ ତୀର୍ଥ କ୍ଷେତ୍ରର ଉନ୍ନତି କେବେ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।