ଆବଶ୍ୟକ ପଡ଼ିଲେ ଖୋଲାଯିବ ହୀରାକୁଦର ଆଉ ଦୁଇଟି ଗେଟ୍‌, ବନ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ୩୨ ଘାଇ

ଭୁବନେଶ୍ୱର: ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ଏହି ସବୁ ନଦୀର ଜଳସ୍ତର ଏବେ ବିପଦ ସଂକେତ ତଳେ ଅଛି । ରେଙ୍ଗାଲି ଡ୍ୟାମ୍‌ର ୩ଟି ଗେଟ୍‌ ବନ୍ଦ କରାଯାଇଛି । ଆଉ ଗୋଟିଏ ଗେଟ୍‌ ବନ୍ଦ ପାଇଁ ଚିନ୍ତା କରାଯାଉଥିବା ରାଜ୍ୟର ବନ୍ୟାସ୍ଥିତି ନେଇ ସମୀକ୍ଷା ବୈଠକରେ ସୂଚନା ଦେଇଛନ୍ତି ଏସଆରସି ଓ ଜଳ ସମ୍ପଦ ପ୍ରମୁଖ ସଚିବ ଅନୁଗର୍ଗ । ରାଜୀବ ଭବନରେ ହୋଇଥିବା ସମୀକ୍ଷା ବୈଠକରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଓ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮ ଲକ୍ଷ ୨୦ ହଜାର ଘନଫୁଟ ଜଳ ପ୍ରବେଶ କରୁଛି । ୪୬ଟି ଗେଟ୍‌ ଦେଇ ପ୍ରତି ସେକେଣ୍ଡରେ ୭ ଲକ୍ଷ ୬୫ ହଜାର ଘନଫୁଟ ଜଳ ନିଷ୍କାସନ ହେଉଛି । ଏବେ ହୀରାକୁଦର ୪୬ଟି ଗେଟ୍‌ ଖୋଲାଥିବା ବେଳେ ଆବଶ୍ୟକ ହେଲେ ଆଉ ୨ଟି ଖୋଲାଯିବ ବୋଲି ସୂଚନା ଦିଆଯାଇଛି । କଟକ ମୁଣ୍ଡଳିରେ ବର୍ତ୍ତମାନ ପ୍ରାୟ ୧୦ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେଉଛି । ମୁଣ୍ଡଳିର ଜଳ ସମୁଦ୍ରରେ ପହଞ୍ଚିବାକୁ ୧୨ରୁ ୧୫ ଘଣ୍ଟା ଲାଗିବ । ଏହି ସମୟ ହେଉଛି ଆମ ସମସ୍ତଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ତେବେ ସେହି ସମୟରେ ଅଧିକ ସତର୍କ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ବନ୍ୟା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨ଟି ଘାଇ ସୃଷ୍ଟି ହେଇଛି । ମହାନଦୀ ଅବବାହିକାରେ ନୂଆ ଦୁଇଟି ଘାଇ ହୋଇଛି । କେବଳ ଯାଜପୁର ଜିଲ୍ଲାରେ ହୋଇଛି ୨୪ଟି ଘାଇ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ନଦୀବନ୍ଧରେ ୫୦୦ଟି ଘଳିଆକୁ ମରାମତି କରାଯାଇଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ।

Leave a Reply