ଖେଳିବାକୁ ଯାଇ ନିଖୋଜ ଥିଲେ, କୂଅରୁ ମିଳିଲା ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ

ଢେଙ୍କାନାଳ: ଖେଳିବାକୁ ଯିବା ହେଲା କାଳ । କୂଅରେ ପଡ଼ି ଚାଲିଗଲା ଦୁଇ ନାବାଳକ ଭାଇଙ୍କ ଜୀବନ । ଘଟଣା ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ବିମ୍ବୋଲୋ ଗାଁର । ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର ପରେ ପୂରା ଗାଁରେ ଖେଳି ଯାଇଛି ଶୋକର ଛାୟା । ମୃତ ଶିଶୁ ଦୁଇ ଜଣ ହେଲେ ୫ ବର୍ଷର ସଞ୍ଜିତ ପ୍ରଧାନ ଏବଂ ୪ ବର୍ଷର ରଞ୍ଜିତ ପ୍ରଧାନ ।

ମିଳିଥିବା ସୂଚନା ଅନୁସାରେ, ବିମ୍ବୋଲୋ ଗାଁର କମ୍ପାନୀ ପ୍ରଧାନଙ୍କ ଦୁଇ ପୁଅ ଗତକାଲି ଅପରାହ୍ନରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ନିରାଶ ହେବା ପରେ ପରିବା ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ପହଞ୍ଚି ପରିବାର ଓ ଗାଁ ଲୋକଙ୍କ ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ପିଲାମାନଙ୍କ କୌଣସି ସନ୍ଧାନ ମିଳି ନଥିଲା । ରାତି ଅଧିକ ହୋଇଯିବାରୁ କାଲି ଖୋଜାଖୋଜି ବନ୍ଧ ଥିଲା । ଆଜି ସକାଳେ ଗାଁର ଦୁଇ ଜଣ ଲୋକ ଶୌଚ ପାଇଁ ଯାଇଥିବା ବେଳେ ପିଲା ଦୁଇଟିଙ୍କ ମ୍ୟତଦେହ କୂଅରେ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ସେମାନେ ପିଲାଙ୍କ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ ।

ଖବର ପାଇ ପୋଲିସ ଗାଁରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।