ବଦଳୁଛି ପାଣିପାଗ, ଗୋଟିଏ ସମୟରେ ଦୁଇ ଦୁଇଟି ଲଘୁଚାପ

1 min read
Two Low Pressure Area Over Bay Of Bengal And Arbian Sea

ନୂଆଦିଲ୍ଲୀ: କାର୍ତ୍ତିକରେ ଶୀତ ବଦଳରେ ହେଉଛି ବର୍ଷା । ଜଳବାୟୁରେ ଅସ୍ୱଭାବିକ ପରିବର୍ତ୍ତନ ଯୋଗୁଁ ବଦଳୁଛି ପାଣିପାଗ । ଦେଶରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ବର୍ଷା କମୁନି । ଗୋଟିଏ ସମୟରେ ଆରବ ସାଗର ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଦୁଇ ଦୁଇଟି ଲଘୁଚାପ କ୍ଷେତ୍ର । ଯାହା ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ସହ ପୁଡୁଚେରୀ, କର୍ଣ୍ଣାଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ବାରଣ କରିଛି ଭାରତୀୟ ପାଣିପାଗ ବିଭାଗ ।

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଆଡ଼କୁ ଗତି କରି ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ରହିଛି । ଏହା କ୍ରମଶଃ ପଶ୍ଚିମକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ଓ ତତସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରର ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଓ ଉତ୍ତର ତାମିଲନାଡ଼ୁ ଉପକୂଳରେ ୧୮ ତାରିଖରେ ପହଞ୍ଚିବ ।

ସେହିଭଳି ଆଉ ଏକ ଲଘୁଚାପ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ଆରବ ସାଗରର କର୍ଣ୍ଣାଟକ-ଉତ୍ତର କେରଳ ଉପକୂଳରେ ସୃଷ୍ଟି ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହେବ । ଏହାର ପ୍ରଭାବରେ ୧୮ ତାରିଖ ଯାଏଁ ବର୍ଷା ଲାଗି ରହିବ । ୧୬ ତାରିଖରେ କେରଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଦକ୍ଷିଣ କୋଙ୍କଣ, ଗୋଆରେ ବର୍ଷା ହେବ ।

୧୭ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ସହ ଉତ୍ତର ତାମିନଲାଡ଼ୁ ଉପକୂଳରେ ପ୍ରବଳ ବର୍ଷା ହୋଇପାରେ । ୧୮ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ସହ ଉତ୍ତର ତାମିନଲାଡ଼ୁ ଉପକୂଳରେ ପ୍ରବଳ ବର୍ଷା ହୋଇପାରେ । ଏହି ସମୟରେ ବଙ୍ଗୋପସାଗର, ଆଣ୍ଡାମାନ ସାଗର, ଆରବ ସାଗର ଅଶାନ୍ତ ରହିବ । ୧୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ବଙ୍ଗୋପସାଗର ଓ ଆରବ ସାଗରକୁ ଯିବାକୁ ବାରଣ କରାଯାଇଛି ।

Leave a Reply