ଯାଜପୁରେ ବିଜେଡିର ମିଶ୍ରଣ ପର୍ବ: ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ଯୁବ ମୋର୍ଚ୍ଚାର ଦୁଇ ପଦାଧିକାରୀଙ୍କ ସମେତ ଶତାଧିକ କର୍ମୀ

ଭୁବନେଶ୍ବର: ଯାଜପୁରରେ ବିଜେପିକୁ ଶକ୍ତ ଝଟକା । ବିଜେଡିରେ ସାମିଲ ହେଲେ ଯାଜପୁର ବିଜେପି ଯୁବ ମୋର୍ଚ୍ଚାର ଦୁଇ ପଦାଧିକାରୀ । ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ ସୌମ୍ୟରଞ୍ଜନ ଧଳ ଓ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହୃଷିକେଶ ମେକାପ ବିଜେଡିରେ ଯୋଗ ଦେଇଛନ୍ତି । ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ଏହି ମିଶ୍ରଣ ପର୍ବ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ଦୁଇ ନେତା ।

ଏଥିସହ ଯାଜପୁର ଜିଲ୍ଲା ବିଜେପି ସଭାପତିଙ୍କ ଉପରେ ବର୍ଷିଛନ୍ତି ଉଭୟ । ଜିଲ୍ଲା ସଭାପତିଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଟ ହୋଇ ଦଳ ଛାଡ଼ିଥିବା କହିଛନ୍ତି ସେମାନେ । ସେମାନେ କହିଛନ୍ତି, ‘ଯାଜପୁର ଜିଲ୍ଲା ସଭାପତି ଲୋକଙ୍କ ପାଖକୁ ଯାଉନାହାନ୍ତି । ଲୋକଙ୍କ ସୁଖଦୁଃଖରେ ଠିଆ ହେଉନାହାନ୍ତି । ଆଗାମୀ ଦିନରେ ଅଧିକରୁ ଅଧିକ ବିଜେପି କର୍ମୀ ବିଜେଡିରେ ମିଶିବେ । ଯାଜପୁର ବିଧାୟକଙ୍କ ବିକାଶମୂଳକ କାମ ଆକୃଷ୍ଟ କରିଛି । ଷଠିପୁରରୁ ମଙ୍ଗଳପୁର ଯାଏଁ ବିଧାୟକଙ୍କ ବିକାଶ କାମ ଚାଲିଛି । ବିଜେଡିରେ ମିଶି ଯାଜପୁରର ବିକାଶ ସହିତ ସାମିଲ ହେଲୁ ।’

ଆଗକୁ ସେମାନେ କହିଛନ୍ତି, ଭଲ ନେତାଙ୍କୁ କଣଠେସା କରି ଦେଇଛନ୍ତି ଜିଲ୍ଲା ସଭାପତି । ଯାଜପୁରର ବିଶ୍ୱକର୍ମା ପ୍ରଣବ ପ୍ରକାଶ ଦାସ ଆମର ନେତା । ନବୀନଙ୍କ ନୂଆ ଓଡ଼ିଶା ସ୍ୱପ୍ନକୁ ସାକାର କରିବାକୁ ବିଜେଡିରେ ସାମିଲ ହୋଇଛୁ ।’

ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଆକୃଷ୍ଟ ହୋଇ ଏମାନଙ୍କ ସହ ଜିଲ୍ଲାର ଶତାଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ମିଶିଛନ୍ତି ।