ନାଗ ସହ ଲଢ଼ିଲା ନାଗ, ଜାଣନ୍ତୁ କ’ଣ ହେଲା ପରିଣାମ…
ଭୁବନେଶ୍ୱର: ନାଗ ସାପ ଓ ନେଉଳ ଲଢେଇ ଦେଖିଛନ୍ତି । ହେଲେ ଦୁଇଟି ନାଗଙ୍କ ଭିତରେ ଭୟଙ୍କର ଲଢେଇ କେବେ ଦେଖି ନଥିବେ। ସୁନାବେଡ଼ାରେ ନାଗ ନାଗ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି । ୨ଟି ନାଗ ସାପ ପରସ୍ପରକୁ ଆକ୍ରମଣ କରୁଛନ୍ତି । ଜଣେ ଆଉ ଜଣଙ୍କୁ କାମୁଡ଼ି ପକାଉଛନ୍ତି । କେହି କାହାକୁ ଛାଡ଼ିବାର ନାହିଁ ।
ସୁନାବେଡ଼ାରେ ରହୁଥିବା ଇତିହାସ ଅଧ୍ୟାପିକା ଅନସୂୟା ନନ୍ଦଙ୍କ ଘରେ ନାଗ ଲଢ଼େଇ ଦେଖିବାକୁ ମିଳିଛି । ଅନସୂୟାଙ୍କ ଗ୍ୟାରେଜ ଭିତରେ ଏକ ସାପ ଦେଖି ସେ ଉଦ୍ଧାର ପାଇଁ ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ସୁଜିତ କୁମାର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଏକ ସିମେଣ୍ଟ ଅଖା ପଛପଟେ ଏକ ନାଗ ସାପର ଅଧା ଦେହ ଦେଖିବାକୁ ପାଇଲେ । ୨ ଫୁଟ୍ ଲମ୍ବର ସେହି ନାଗ ସାପଟି ମଝିରେ ମଝିରେ ଗୋଲ ଗୋଲ ହୋଇ ନିଜ ଦେହକୁ ଗୁଡେଇ ଦେଉଥିଲା ।
ସେଇ ୨ ଫୁଟ ଲମ୍ବର ସାପଟିର ଲାଙ୍ଗୁଳକୁ ସୁଜିତ ନିଜର ସ୍ନେକ ହୁକ ସାହାଯ୍ୟରେ ଟେକି ହାତରେ ଭିଡ଼ିବାକୁ ଚେଷ୍ଟା କରିବାରୁ ସିମେଣ୍ଟ ବ୍ୟାଗ ପଛପଟୁ ଆଉ ଗୋଟିଏ ନାଗ ସାପର ମୁଣ୍ଡ ଦେଖାଗଲା । ଯିଏକି ଏହି ୨ ଫୁଟ ସାପର ମୁଣ୍ଡକୁ ପ୍ରାୟ ଗିଳି ଦେଇଥିଲା । ବଡ଼ ନାଗ ସାପର ପାଟିରୁ ଖସିବା ପାଇଁ ଛୋଟ ନାଗଟି ବହୁତ ପରିଶ୍ରମ କରୁଥିଲା, ହେଲେ ସଫଳ ହେଉ ନଥିଲା । ସୁଜିତ ଧୀରେ ଧୀରେ ଛୋଟ ନାଗଟିକୁ ଭିଡ଼ି ବାହାର କରି ଆଣିବା ବେଳେ ବଡ଼ ନାଗଟି ସେଇଭଳି ଛୋଟ ନାଗ ସାପ ମୁଣ୍ଡକୁ ପାଟିରେ ଧରି ବାହାରକୁ ଆସିଥିଲା ।
ବାହାରକୁ ଆସିବା ପରେ ଛୋଟ ନାଗଟି କିଛି କ୍ଷଣ ପାଇଁ ନିଜକୁ ବଡ଼ ନାଗ ପାଟିରୁ ମୁକ୍ତ କରି ନେଇଥିଲା । ହେଲେ ପୁଣି ବଡ଼ ନାଗଟି ଛୋଟ ନାଗର ବେକ ପାଖକୁ କାମୁଡ଼ି ଧରି ନେଇଥିଲା । ଏଥର ନିଜକୁ ବଞ୍ଚେଇବା ପାଇଁ ଛୋଟ ନାଗଟି ମଧ୍ୟ ବଡ଼ ନାଗର ବେକକୁ କାମୁଡ଼ି ଧରିଲା । ଯେମିତିକି ସିଏ ଆଉ ତା ମୁଣ୍ଡକୁ ଧରି ନପାରିବ । ଏହି କାମୁଡ଼ା କାମୁଡ଼ି ଅତ୍ୟନ୍ତ ଭୟଙ୍କର ରୂପ ନେଇଥିଲା ଏବଂ ବଡ଼ ନାଗଟି ଛୋଟ ନାଗକୁ କାମୁଡୁଥିବା ଅବସ୍ଥାରେ ବିଭିନ୍ନ ଦିଗକୁ ଭିଡ଼ି ନେଉଥିଲା । ଏହି ଲଢ଼େଇ ପ୍ରାୟ ୧୦ ମିନିଟ୍ ଚାଲିବା ପରେ ସାପ ୨ଟି ଅଲଗା ହେଇଥିଲେ ଏବଂ ସୁଜିତ ସାପ ଦୁଇଟିକୁ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କରିଥିଲେ ।
ନାଗ ସାପ ନିଜ ଭିତରେ କାମୁଡ଼ା କାମୁଡ଼ି ହେଲେ ବିଷ କ୍ରିୟା ହେବ କି ନାହିଁ ? ଏନେଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ‘ନାଗ ସାପଙ୍କ କ୍ଷେତ୍ରରେ କାନିବାଲିଜିମ୍ ଦେଖାଯାଏ ଏବଂ ଗୋଟିଏ ନାଗ ଅନ୍ୟ ନାଗକୁ ଖାଇବା ଏକ ସାଧାରଣ ଘଟଣା । ତେବେ ବୈଜ୍ଞାନିକ ମାନେ ଏବେ ମଧ୍ୟ ଏକ ନାଗର ଶରୀର ଉପରେ ଅନ୍ୟ ଏକ ନାଗ ବିଷର ପ୍ରତିକ୍ରିୟା ଉପରେ ଦ୍ଵନ୍ଦ୍ୱରେ ଅଛନ୍ତି । କାରଣ ବିଷ ତିଆରି ହେବା ଏକ ଜଟିଳ ପ୍ରକ୍ରିୟା ଏବଂ ସାପ ମାନେ ନିଜର ବିଷକୁ କେବଳ ଶିକାର ପାଇଁ ଖର୍ଚ୍ଚ କରିଥାନ୍ତି । ଅଯଥାରେ ବିଷ ଖର୍ଚ୍ଚ କରିବା ସାପ ମାନେ ପସନ୍ଦ କରନ୍ତି ନାହିଁ । ଏଣୁ ସୁନାବେଡ଼ାରେ ଲଢେଇ କରିଥିବା ଦୁଇ ସାପଙ୍କ ଶରୀରରେ ପରସ୍ପର ବିଷ ଛାଡ଼ି ଥିଲେ କି ନାହିଁ ତାହା ଆମେ ନିର୍ଦ୍ଦିଷ୍ଟ କରି କହି ପାରିବା ନାହିଁ । କିନ୍ତୁ ଯଦି କେଉଁ ବି ସାପ ମରିଥାନ୍ତା, ଆମେ ନିଶ୍ଚୟ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ତାର ପୋଷ୍ଟମର୍ଟମ କରିବା ପାଇଁ ସବୁ ପ୍ରସ୍ତୁତି କରି ରଖିଥିଲୁ । ତେବେ ଯାହା ହେଉ ସାପ ଦୁଇଟି ବଞ୍ଚି ଯାଇଛନ୍ତି ।‘
ସାପଙ୍କୁ ଉଦ୍ଧାର କରିବା ପରେ ସୁଜିତଙ୍କ ମନରେ ସ୍ୱାଭାବିକ କୌତୁହଳ ସୃଷ୍ଟି ହେଲା ଯେ, ନାଗ ସାପ ଦୁଇଟି ପରସ୍ପରକୁ କାମୁଡିଥିବାରୁ ସେମାନେ ବଞ୍ଚିବେ ନା ନାହିଁ ? ସମାନ ପ୍ରଜାତିର ସାପ ହୋଇଥିବା ହେତୁ ନିଜ ଉପରେ ନାଗ ସାପ ବିଷ କାମ କରିବ ନା ନାହିଁ ? ସୁଜିତଙ୍କ ପାଇଁ ଏହା ଏକ ନୂଆ ଘଟଣା ହୋଇଥିବାରୁ ସେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସାପ ଦୁଇଟିକୁ ଗୋଟିଏ ରାତି ବଜରଭେସନରେ ରଖି ସକାଳେ ଅବସ୍ଥା ଦେଖି ଜଙ୍ଗଲରେ ଛାଡ଼ିବାକୁ ପରାମର୍ଶ ଦେଇଥିଲେ । ସକାଳେ ସୁଜିତ ଉଭୟ ସାପ ଜୀବିତ ଓ ସୁସ୍ଥ ଦେଖିବାକୁ ପାଇଥିଲେ । ଏହା ପରେ ସାପ ୨ଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ ।