ଘରେ କବାଟ ବନ୍ଦ କରି ଦୁଇ ଶିଶୁଙ୍କୁ ଜୀବନ୍ତ ଜାଳିଦେଲା ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ବିହାରର ପାଟନାଣୁ ଆସିଛି ଏକ ଲୋମହର୍ଷଣକାରୀ ଖବର । ଘରେ ଏକା ଥିବା ଦୁଇ ଜଣ ଛୋଟ ପିଲାଙ୍କୁ କବାଟ ବନ୍ଦ କରି ଜୀବନ୍ତ ଜାଳି ଦେଇଛି ଦୁର୍ବୃତ୍ତ । ଯାହାକୁ ନେଇ ପୂରା ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଚଲାଇଛି । ତେବେ ଏମିତି କ’ଣ ଘଟିଲା ଦୁଇ ପିଲାଙ୍କୁ ଏମିତି ଜାଳି ମାରି ଦିଆଗଲା ପ୍ରଶ୍ନ ଉଠିବାରେ ଲାଗିଛି ।
ପାଟନାର ଜାନିପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ଘରେ ପଶି ଦୁଇ ପିଲାଙ୍କୁ ଜାଳି ହତ୍ୟା କରିଛି । ମୃତ ପିଲାମାନେ ଅଞ୍ଜଳୀ ଏବଂ ଅଂଶ ବୋଲି ଚିହ୍ନଟ ହୋଇଛନ୍ତି । ଉଭୟ ଏମ୍ସରେ କାର୍ଯ୍ୟରତ ନର୍ସ ଶୋଭା ଦେବୀ ଏବଂ ଲଲନ କୁମାର ଗୁପ୍ତାଙ୍କ ପିଲା ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ପିଲାମାନେ ସ୍କୁଲରୁ ଘରକୁ ଫେରିବା ବେଳେ ବାପାମାଆ ନଥିଲେ । ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଘରେ ପଶି ସେମାନଙ୍କୁ ଏକ କୋଠରୀରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲା । ଘରୁ ଧୂଆଁ ବାହାରୁ ଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ସେତେବେଳକୁ ଦୁଇ ପିଲାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟି ସାରିଥିଲା ।
ଏହି ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣା ସମୟରେ ପିଲାଙ୍କ ମାଆ ଶୋଭା ଦେବୀ ଏମ୍ସରେ ଡ୍ୟୁଟିରେ ଥିଲେ । ପୋଲିସ ଘଟଣାକୁ ଗୁରୁତର ସହ ନେବା ସହ ଆଖପାଖରେ ଥିବା ସିସିଟିଭି ଭିଡିଓକୁ ଯାଞ୍ଚ କରିବା ଆରମ୍ଭ କରିଛି । ଏହାସହ ପରିବାର ଲୋକ ଓ ପଡୋଶୀଙ୍କୁ ପଚରାଉଚରା କରାଯାଉଛି ।