ଟ୍ରକ୍ ଧକ୍କାରେ ଦୁଇ ହକି ଖେଳାଳିଙ୍କ ମୃତ୍ୟୁ

ସୁନ୍ଦରଗଡ଼: ରାଜ୍ୟ ହକିକୁ ବଡ଼ ଝଟକା । ଦୁର୍ଘଟଣାରେ ପ୍ରାଣ ହାରାଇଲେ ଦୁଇ ପ୍ରତିଭାବାନ ଖେଳାଳି । ଟ୍ରକ୍ ଧକ୍କାରେ ସେମାନଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ସଚିନ କିଣ୍ଡୋ ଓ ସୁମିଲାଲ ଟପ୍ପୋ । ଉଭୟଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ନିମଡିହି ଗାଁରେ । ଛତିଶଗଡ଼ରେ ହକି ଖେଳି ଫେରିବା ବେଳେ ଗତକାଲି ରାତିରେ ଦୁର୍ଘଟଣାରେ ସେମାନଙ୍କର ମୃତ୍ଯୁ ଘଟିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଛତିଶଗଡ଼ ବଳୁଆବାହାଲ ଗାଁରେ ହେଉଥିବା ଖାସି ହକି ଟୁର୍ଣ୍ଣାମେଣ୍ଟକୁ ଉଭୟ ଖେଳିବାକୁ ଯାଇଥିଲେ । ଖେଳି ସାରି ବାଇକ୍ ଯୋଗେ ଗାଁକୁ ଫେରୁଥିଲେ । ଓଡ଼ିଶା ସୀମାରୁ ପ୍ରାୟ ୧୦ କିମି ଦୂର ଛତିଶଗଡ଼ର କତେରବିରା ମନ୍ଦିର ନିକଟରେ ଦୁର୍ଘଟଣା ଘଟିଥିଲା । ବାଲିଶଙ୍କରା ପଟୁ ଛତିଶଗଡ଼କୁ ଯାଉଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା ।