କଳାହାଣ୍ଡିରେ ଚାଞ୍ଚଲ୍ୟ, ନାବାଳକ ଓ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଧର୍ମଗଡ଼: କଳାହାଣ୍ଡିରେ ଚାଞ୍ଚଲ୍ୟ । ଧର୍ମଗଡ ଥାନା ବାଞ୍ଜିପଦର ଗାଁ ନିକଟରୁ ଦୁଇ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମୃତକ ଜଣେ ନାବାଳକ ଓ ଅନ୍ୟଜଣେ ନାବାଳିକା । ଉଭୟ ବାଞ୍ଜିପଦର ଗାଁର । ମୃତକ ପ୍ରେମୀଯୁଗଳ ବୋଲି ସୂଚନା ମିଳିଛି । ଅଭିଯୋଗ ଅନୁସାରେ ଉଭୟ ଗତ ଜୁନ ମାସ ୩୦ତାରିଖରେ ଘରୁ କେଉଁଆଡ଼େ ପଳାଇଯାଇଥିଲେ । ପରିବାର ଲୋକ ଖୋଜାଖୋଜି କରିବାପରେ ସେମାନଙ୍କୁ ପାଇନଥିଲେ ।

ସାବୁନିଭାଡ଼ି ଓ ବାଞ୍ଜିପଦର ଗାଁ ମଝି ସ୍ଥାନରେ ଉଭୟଙ୍କ ମୃତଦେହ ଦେଖି କିଛି ଲୋକ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନାବାଳକର ଶରୀର ପଚିଯାଇଥିବାବେଳେ ନାବାଳିକାର ମୃତଦେହ ଖଣ୍ଡବିଖଣ୍ଡିତ ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ଧର୍ମଗଡ ପୋଲିସ ପହଞ୍ଚି ତଦନ୍ତ କରୁଛି । ଉଭୟଙ୍କର କିଭଳି ମୃତ୍ୟୁ ହେଲା ଛାନବିନ କରାଯାଉଛି । କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ସହିତ ଗ୍ରାମବାସୀଙ୍କୁ ପଚରାଉଚୁରା କରୁଛି ପୋଲିସ ।