ଉଜୁଡ଼ିଲା ଚାଷ: ବିଲରେ ଟଳି ପଡ଼ିଲେ ଜଣେ ଚାଷୀ, ବିଷ ପିଇ ଦେଲେ ଆଉ ଜଣେ
ଯାଜପୁର/ପାଟକୁରା: ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ । ଆଖି ଆଗରେ ନଷ୍ଟ ହୋଇଗଲା ଅମଳ ହେବାକୁ ବସିଥିବା ଫସଲ । ପରିବାର ଚଳାଇବା ସହ ଋଣ ଶୁଝିବା ଚିନ୍ତାରେ ଚାଷୀ । ଏପଟେ ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସାହାରା ହେବାରେ ସରକାର ବିଫଳ । ଏମିତି ସ୍ଥିତିରେ ଶେଷ ପନ୍ଥା ଆପଣେଇ ନେଉଛନ୍ତି ଚାଷୀ । ଗତକାଲି ଜଣେ ଚାଷୀଙ୍କ ଜୀବନ ଯାଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଉଜୁଡ଼ା କ୍ଷେତ ଦେଖି ସେହିଠି ଟଳି ପଡିଥିବା ବେଳେ ଆଉ ଜଣେ ବନ୍ଦ ଘରେ ବିଷ ପିଇ ଦେଇଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳରେ ଚାଷୀ ଆତ୍ମହତ୍ଯା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଡେରାବିଶ ଅଞ୍ଚଳ ବିଶକ ଗାଁର ଦୈତାରୀ ନାୟକ । ଘର ଭିତରେ କବାଟ କିଳି ଦୈତାରୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଉ ମୃତ୍ୟୁର କାରଣ ସମାନ । ଦୈତାରୀ ଋଣ କରି ତିନି ଏକର ଜମିରେ ଧାନ ଭାଗ ଚାଷ କରିଥିଲେ । ହେଲେ ଅଦିନିଆ ବର୍ଷା ତାଙ୍କର ବର୍ଷକର ଅମଳକୁ ଉଜାଡି ଦେଇଥିଲା । ଫସଲ ହାନୀ ପରେ ଦୁଶ୍ଚିନ୍ତାରେ ଭାଙ୍ଗି ପଡ଼ିଥିଲେ ଦୈତାରୀ । ଦୈତାରୀଙ୍କ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଓ ଋଣ ବୋଝରୁ ମୁକ୍ତି ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଦୈତାରୀଙ୍କ ପରିବାରକୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ସମବେଦନା ଜଣାଇବା ସହ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ।
ସେହିପରି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ମଣିତାପୁର ଗାଁରେ ଉଜୁଡା କ୍ଷେତ ଦେଖି ସେହିଠି ଟଳି ପଡିଲେ ଚାଷୀ । ଆଉ ଚାଲିଗଲା ପ୍ରାଣବାୟୁ । ମୃତକ ହେଲେ ମଣିରାମ ମହାନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ, ମଣିରାମ କୃଷି ଋଣ ସହ ବିଭିନ୍ନ ଜାଗାରୁ ଧାର କରଜ କରି ଚାଷ କରିଥିଲେ । ଅଦିନିଆ ବର୍ଷାରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗତକାଲି ମଣିରାମ ବିଲକୁ ତାଙ୍କ ଧାନ ଦେଖିବାକୁ ଯାଇଥିବା ବେଳେ ଚାଷର ଅବସ୍ଥା ଦେଖି ବିଚଳିତ ହୋଇଯାଇଥିଲେ । ଆଉ ସେହି ବିଲରେ ହିଁ ଟଳି ପଡ଼ିଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ଯାଜପୁର ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ଦୁଇ ଦିନ ହୋଇ ଯାଇଥିଲେ ମଧ୍ୟ ମୃତକଙ୍କ ପରିବାର ପାଖରେ ପ୍ରଶାସନ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଛି । ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।