ନକଲି ବନ୍ଧୁକ ଦେଖାଇ ଲୁଟ କରୁଥିଲେ, ଡକାୟତ ଗ୍ୟାଙ୍ଗରେ କଲେଜ ଛାତ୍ର ଗିରଫ

ସୁବର୍ଣ୍ଣପୁର: ଡକାୟତି ମାମଲାରେ ଦୁଇ କଲେଜ ଛାତ୍ର ଗିରଫ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପୋଲିସ ହାତରେ ଧରା ପଡିଛନ୍ତି ଡକାୟତି ଦଳ । ଚଢେଇପଙ୍କ ଛକରେ ବାଲି ବୋଝେଇ ହାଇଓ୍ବାର ଚାଳକ ଓ ହେଲପରକୁ ବନ୍ଧୁକ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ଦୁଇ ନାବାଳକ ସମେତ ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ।

ଅନ୍ୟ ଦୁଇ ଜଣ ନାବାଳକଙ୍କୁ ବାଳ ଅପରାଧ ନ୍ୟାୟିକ ବୋର୍ଡକୁ ପଠାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୂଚନା ଦେଇଛନ୍ତି । ଗତକାଲି ଭୋରରେ ବାଲି ବୋଝେଇ ହାଇୱା ତେଲ ମିଲକୁ ଆସୁଥିଲା । ସେହି ସମୟରେ ଚାରି ଜଣ ଦୁର୍ବୃତ୍ତ ଏକ ଆପାଚୀ ବାଇକରେ ଆସି ଅଟକାଇଥିଲେ । ବନ୍ଧୁକ ଦେଖାଇ ଧମକଚମକ ଦେବାରୁ ଭୟଭୀତ ହୋଇ ଗାଡିର ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ତେବେ ଗାଡିର ହେଲପର ଦୁଃଖଶ୍ୟାମ ଗାଇଗରିଆକୁ ସେମାନେ ମାଡ଼ ମାରିବା ସହ ଧମକ ଚମକ ଦେଇ ଗୋଟିଏ ମୋବାଇଲ ଓ ନଗଦ ୬ ହଜାର ୫୦୦ ଟଙ୍କା ଲୁଟି ନେଇ ଫେରାର ମାରିଥିଲେ । ପୁଲିସ ଦୁବୃର୍ତ୍ତ ମାନଙ୍କ ଠାରୁ ଗୋଟିଏ ଆପାଚି ବାଇକ୍ , ଗୋଟିଏ ଖେଲଣା ବନ୍ଧୁକ , ଦୁଇଟି ଲାଇଟର , ଦୁଇଟି ମନିପର୍ସ , ଛଅଟି ମୋବାଇଲ ଏବଂ ନଗଦ ଛଅ ହଜାର ପାଞ୍ଚଶହ ଟଙ୍କା ଜବତ କରିଥିବା ସୂଚନା ମିଳିଛି । ମୁଖ୍ୟ ଅଭିଯୁକ୍ତ ସୋନପୁର ଦେବାଶିଷ ଖପର ଧୁଆ ଏବଂ କେନ୍ଦୁପାଲିର ସୁମନ୍ତ ମେହେରଙ୍କୁ କୋର୍ଟଚାଲାଣ କରାଯାଇଛି ।