ଛୁଆକୁ ବାଘ ନେଇଯିବ ବୋଲି କୁକୁର ସହ ବିବାହ ଅନୁଷ୍ଠିତ
1 min readବାଲେଶ୍ବର: ପୁଅ-ଝିଅ ବିବାହ ତ ସାଧାରଣ କଥା । ହେଲେ କୁକୁର ସହ ଛୁଆର ବିବାହ ଶୁଣିଛନ୍ତି କି? ଏପରି ଏକ ଅନ୍ଧବିଶ୍ବାସ ସମ୍ପର୍କିତ ଘଟଣା ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଗାଁରେ ଦେଖିବାକୁ ମିଲିଛି । ଶିଶୁକୁ କୁକୁର ସହିତ ବାହାଘର ନକଲେ ବଣରେ ଛୁଆକୁ ବାଘ ନେଇଯିବ କିମ୍ବା ବଣରେ ହଜିଯିବା ପରି ବିଶ୍ବାସ ରହିଛି । ତେଣୁ ଦୁଇ ଶିଶୁଙ୍କ ସହ କୁକୁରର ବିବାହ ହୋଇଛି ।
ପିଲାଟିର ଦାନ୍ତ ଉଠିବା ପୂର୍ବରୁ ବିବାହ ସମ୍ପନ୍ନ ହେବା ଦରକାର ବୋଲି ବିଶ୍ବାସ ରହିଛି । ନହେଲେ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବ । ତା’ର ରିଷ୍ଟ ଖଣ୍ଡନ ପାଇଁ ପିଲାଟିକୁ ଗଛ କିମ୍ବା କୁକୁର ସହ ବିବାହ କରାଇଦେଲେ ରିଷ୍ଟ ଖଣ୍ଡନ ହୁଏ। ପରେ କୁକୁରଟି ରୋଗଗ୍ରସ୍ତ ହେବା ସହିତ ମୃତ୍ୟୁ ମୁଖରେ ପଡ଼ିଥାଏ ଏବଂ ପିଲାଟି ସୁସ୍ଥ ହୋଇଯାଏ ବୋଲି ବିଶ୍ବାସ ରହି ଆସିଛି। ଏହିପରି ଦୁଇଟି ଅଜବ ଗଜବ ବିବାହ ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଗାଁରେ ହୋଇଛି ।
ଦରି ସିଂଙ୍କ ପୁଅ ସହିତ ଏକ ମାଈ କୁକୁର ଏବଂ ମଛୁଆ ସିଂଙ୍କ ଝିଅ ସହିତ ଏକ ଅଣ୍ଡିରା କୁକୁରର ବାହାଘର ହୋଇଛି। ଏହି ବାହାଘର ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ କରାଯାଇଛି।