ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଶିଶୁ ମୃତ, ଅଜା ଗୁରୁତର

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଂହପାଲି ଗାଁରୁ ଆସିଛି ଏକ ଦୁଃଖଦ ଖବର । ଗାଁ ନିକଟ ଜଙ୍ଗଲରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଅଜା ଗୁରୁତର ଆହତ ହୋଇଛନ୍ତି । ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ ଦୁଇ ଶିଶୁ ଧାନ କ୍ଷେତ ଜଗିବାକୁ ଅଜାଙ୍କ ସହ ବିଲକୁ ଯାଇଥିଲେ । ଯିବା ବାଟରେ ବାରାହା ମାରିବାକୁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ ଦୁଇ ଶିଶୁ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅଜା ମଧ୍ୟ ଗୁରୁତର ହୋଇଥିଲେ ।

ଅଞ୍ଚଳରେ ଏମିତି ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ବିଦ୍ୟୁତ ତାରରେ ଲାଗି ଲୋକଙ୍କ ଜୀବନ ଯାଇଛି । ବାରମ୍ବାର ଏମିତି ଘଟଣା ଘଟୁଥିଲେ ବି ବନ ବିଭେଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି ।