ବୁଢାବଳଙ୍ଗରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ, ଜଣକୁ ବଞ୍ଚାଇବାକୁ ଯାଇ ବୁଡିଯାଇଥିଲେ ଉଭୟେ

ବାଲେଶ୍ୱର: ବୁଢାବଳଙ୍ଗ ନଦୀରେ ଭାସି ଯାଇ ଦୁଇ ଭାଇଙ୍କର ମୃତ୍ୟୁ । ବାଲେଶ୍ବର ଜିଲ୍ଲା ରେମୁଣା ଥାନା ପୁତୁକା ଶାସନ ଗାଁ ନିକଟରେ ଘଟିଛି ଏହି ଅଘଟଣ । ମୃତକ ଦୁଇଜଣ ହେଲେ ବିକାଶ ପଣ୍ଡା ଓ ତୁଷାର ପଣ୍ଡା । ବିକାଶ ଓ ତୁଷାର ଉଭୟେ ଆଜି ମଧ୍ୟାହ୍ନରେ ଗାଁ ନିକଟ ବୁଢାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ ।
ପୁତୁକା ଶାସନ ନିକଟରେ ପଥର ପେଚିଂ କରାଯାଇଥିବା ଗଣ୍ଡରେ ପଡ଼ିଯିବାରୁ ବିକାଶ ବୁଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ତୁଷାର ଉଦ୍ୟମ କରୁଥିବାବେଳେ ସେ ମଧ୍ୟ ବୁଡ଼ି ଯାଇଥିଲେ । ସୂଚନାପାଇ ଗାଁ ଲୋକେ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ପରୀକ୍ଷାକରି ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ତୁଷାର ମାମୁଘର ପୁତୁକା ଶାସନରେ ରହି ପାଠ ପଢୁଥିଲେ ।