ଜୀବନ ପାଲଟିଛି ଯନ୍ତ୍ରଣା: ଦୃଷ୍ଟିହୀନ ସାଙ୍ଗକୁ କର୍କଟ ରୋଗରେ ଆକ୍ରାନ୍ତ, ଅସହ୍ୟ ଯନ୍ତ୍ରଣାରେ ଛଟପଟ ୨ ନିଷ୍ପାପ ଶିଶୁ
![](https://nandighoshatv.com/wp-content/uploads/2025/02/AJPUR-ROAD_TWO-BLIND-BROTHER-1024x576.jpg)
ଯାଜପୁର: ଜୀବନ ପାଲଟିଛି ଯନ୍ତ୍ରଣା । ଖେଳକୁଦ ବୟସରେ ଯନ୍ତ୍ରଣାରେ ଛଟପଟ ଜୀବନ । ଅଭାବ ଅନଟନ ଭିତରେ ରୋଗର ଦାଉ । ବଡ ପୁଅର ଗୋଟିଏ ଆଖିକୁ ଦେଖାଉନଥିବା ବେଳେ ସାନ ପୁଅ ଜନ୍ମରୁ ଦୃଷ୍ଟିବାଧିତ ସାଙ୍ଗକୁ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବଡ଼ ତ୍ରିଲୋଚନପୁର ଗାଁରେ । ଏହି ଗାଁରେ ରୁହନ୍ତି ଅନୀଲ ମାଝୀଙ୍କ ପରିବାର । ହେଲେ ଏହି ପରିବାର ଉପରେ ଦୁଃଖର କଳାବାଦଲ ମାଡି ବସିଛି । ଅନୀଲଙ୍କ ବଡ଼ ପୁଅ ସୁନୀଲର ଗୋଟିଏ ଆଖିକୁ ଦେଖାଯାଉ ନଥିବା ବେଳେ ସାନ ପୁଅ ଗଣେଷ ଜନ୍ମରୁ ଦୃଷ୍ଟିହୀନ ସହ ଏବେ ରକ୍ତ କର୍କଟ ରୋଗରେ ପୀଡ଼ିତ ।
ଗଣେଶ ୯ ବର୍ଷର ହୋଇଥିବା ବେଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି । ଚିକିତ୍ସା ପାଇଁ ମେଡିକାଲ ଦୌଡ଼ି ଦୌଡ଼ି ସର୍ବସ୍ବାନ୍ତ ହେଲେଣି ପରିବାର। ବର୍ତ୍ତମାନ ତାଙ୍କର କେମୋ ଚିକିତ୍ସା ଚାଲିଥିବା ବେଳେ ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଛି। ସେପଟେ ସୁନୀଲର ଗୋଟିଏ ଆଖିକୁ ଦେଖାଯାଉ ନଥିବାରୁ ସେ ସ୍କୁଲ୍ ଯିବା ଓ ପାଠ ପଢି଼ବାରେ ସମସ୍ୟା ଭୋଗୁଛନ୍ତି । ଏଭଳି ସ୍ଥିତରେ ୨ ପୁଅଙ୍କ ଚିକିତ୍ସା ନିମନ୍ତେ ସରକାରୀ କିମ୍ବା ବେସରକାରୀ ସ୍ତରରେ ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ।
ଅନୀଲ ଦିନ ମଜୁରିଆ ହୋଇଥିବାରୁ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର । ଦିନରେ କାମ କରିବାକୁ ଗଲେ ସନ୍ଧ୍ୟାରେ ଘରେ ଚୁଲି ଜଳେ । ଓଳିଏ ଖାଇଲେ ଓଳିଏ ଉପାସ। ଯେଉଁଠି ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟକର ସେଠି ପୁଅର ଚିକିତ୍ସା ବା କେମିତି ହେବ। ଏଭଳି ପରିସ୍ଥିତିରେ ୨ ପୁଅଙ୍କ ଚିକିତ୍ସା ପାଇଁ ଅର୍ଥ ଆଣିବେ କେଉଁଠୁ। ତେଣୁ ତୁରନ୍ତ ସରକାର ଏମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କୋରେଇ ବିଡିଓ। ଗୋଟିଏ ପଟେ ଦାରିଦ୍ର୍ୟର ତାଡନା ଓ ଅନ୍ୟପଟେ ପୁଅର ଯନ୍ତ୍ରଣା, ଏହା ଭିତରେ ସନ୍ତୁଳି ହୋଇଯାଉଛି ଜୀବନ। ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ ଟିକେ ମିଳିପାରିଲେ ନିଷ୍ପାପ ଶିଶୁଙ୍କ ମୁହଁରେ ହସ ଫୁଟି ପାରନ୍ତା।