ଇଡି ପରିଚୟ ଦେଇ ଠକିଥିବା ଦୁଇ ଅଭିଯୁକ୍ତ ଗିରଫ

1 min read

ଭୁବନେଶ୍ବର: ନିଜକୁ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ କହି ଶହ ଶହ ଲୋକଙ୍କ ଠାରୁ ଠକିଥିବା ଦୁଇ ଅଭିଯୁକ୍ତ ଗିରଫ । କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ କଲା ଗିରଫ । ୨ ଅଭିଯୁକ୍ତ ହେଲେ ଢେଙ୍କାନାଳ ଦୋଳମଣ୍ଡପସାହିର ତାରିଣୀସେନ ମହାପାତ୍ର ଓ ବ୍ରହ୍ମଶଙ୍କର ମହାପାତ୍ର ।

ଅଭିଯୋଗ ମୁତାବକ, ଉଭୟ ଦୁଇ ଭାଇ । ଏମାନେ ନିଜକୁ ଇଡି ଅଫିସର କହି ୩ ଶହ ସରକାରୀ ଅଧିକାରୀଙ୍କ ଠାରୁ ଠକେଇ କରିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳ ତଥା SDM ଦେବଦତ୍ତ ମହନ୍ତଙ୍କ ଅଭିଯୋଗକ୍ରମେ ତଦନ୍ତ କରିଥିଲା STF । ତାରିଣୀସେନ ଜଣେ ବିକମ ଗ୍ରାଜୁଏଟ ଓ ବ୍ରହ୍ମଶଙ୍କର ବିସିଏ ପାସ କରିଛନ୍ତି । ରୟାଲ ଲାଇଫ ବଞ୍ଚିବା ପାଇଁ ସେମାନେ ଏଭଳି ଠକେଇ କରିଥିଲେ । ଝାଡ଼ଖଣ୍ଡ ରାଞ୍ଚିରେ ଭଡା ଘରେ ରହୁଥିଲେ । ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ NGO ମଧ୍ୟ ଚଳାଉଥିଲେ । ଇଡି ରେଡ୍ ସମ୍ପର୍କିତ ସୂଚନା ପାଇବା ପରେ ସେ ନିଜକୁ ଇଡି ଅଫିସର କହୁଥିଲେ । କୌଣସି ମାମଲାର ବୁଝାମଣା ପାଇଁ ଟଙ୍କା ଦେବାକୁ ଧମକାଉଥିଲେ । ତାଙ୍କ ଫୋନ ପେ ଯୋଗେ ୧୬ ଲକ୍ଷରୁ ଅଧିକ ଟଙ୍କା ଟ୍ରାଞ୍ଜାକସନ ହୋଇଥିବା ଜାଣିବାକୁ ପାଇଛି ପୋଲିସ । ଟଙ୍କା ନେବା ପରେ ମିଛ କ୍ଲିଅରାନ୍ସ ରିପୋର୍ଟ ମଧ୍ୟ ଦେଉଥିଲେ । ସେମାନଙ୍କ ଠାରୁ ଡେସ୍କଟପ, ମୋବାଇଲ, ବ୍ୟାଙ୍କ ପାସବୁକ, ମିଛ ପରିଚୟ ପତ୍ର, ୧୭ଟି ଏଟିଏମ କାର୍ଡ ଜବତ କରାଯାଇଛି । କେସ ନମ୍ବର ଦଫା ୧୫, ୪୧୯, ୪୨୦, ୩୮୪, ୩୮୮, ୫୦୬ ଓ ୧୨୦-ବି ରେ ଦୁଇ ଠକ ଭାଇଙ୍କୁ କୋର୍ଟଚାଲାଣ କରିଛି STF ।