ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁଟିକ୍

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଉପରାଷ୍ଟ୍ରପତି ଏମ୍. ଭେଙ୍କିଆ ନାଇଡୁଙ୍କ ଟ୍ୱିଟର ଆକାଉଣ୍ଟରୁ ଦୁଇ ଘଣ୍ଟା ପାଇଁ ବ୍ଲୁଟିକ୍ ହଟାଇବା ପରେ ଏବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟକୁ ଅନ୍ ଭେରିଫାଇଡ୍ କରିଦେଇଛି । ଅର୍ଥାତ ଭଗବତଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟିଯାଇଛି । କେବଳ ଭଗବତ ନୁହନ୍ତି ଆରଏସଏସର ପୂର୍ବତନ ସରକାର୍ଯ୍ୟବାହକ ଭୟାଜି ଜୋଷୀ,ପୂର୍ବତନ ସହ ସରକାର୍ଯ୍ୟବାହକ ସୁରେଶ ସୋନି ଓ ସର କାର୍ଯ୍ୟବାହକ ଅରୁଣ କୁମାରଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ୱିଟର ଅନଭେରିଫାଇଡ୍ କରିଦେଇଛି ।

ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟିବା ପରେ ହଙ୍ଗାମା ହୋଇଥିଲା । ବ୍ଲୁଟିକ୍ ହଟିବାର ୨ ଘଣ୍ଟା ପରେ ଟ୍ୱିଟର ପୁଣିଥରେ ଆକାଉଣ୍ଟକୁ ବ୍ଲୁଟିକ୍ ଦେଇଥିଲା । ଟ୍ୱିଟର ପକ୍ଷରୁ କୁହାଯାଇଥିଲା ଯେ, ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟ ଗତ ୬ ମାସ ଧରି ଅପଡେଟ୍ ହେଉନଥିବାରୁ ବ୍ଲୁଟିକ୍ ହଟାଯାଇଥିଲା । ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟାଯିବାକୁ ନେଇ କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ଅସନ୍ତୁଷ୍ଠ ଥିଲା ବୋଲି କୁହାଯାଉଥିଲା । ଟ୍ୱିଟର ଓ ସରକାରଙ୍କ ମଧ୍ୟରେ ଚାଲିଥିବା ଲଢେଇର ଏହା ଅଂଶ ବୋଲି କୁହାଯାଉଛି ।

ଏବେ ମୋହନ ଭାଗବତଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ସେହି ଏକା କାରଣରୁ ହଟାଯାଇଥିବା ଅନୁମାନ କରାଯାଉଛି । କାରଣ ଭଗବତଙ୍କ ଆକାଉଣ୍ଟ୍ ୨୦୧୯ରେ ତିଆରି ହୋଇଥିଲା କିନ୍ତୁ ଗତ ୬ମାସରୁ ଅଧିକ ଦିନ ଧରି ଏହା ନିଷ୍କ୍ରିୟ ଅଛି ।

ବିନା ନୋଟିସରେ ହଟାଇ ପାରେ ବ୍ଲୁଟିକ୍

ଟ୍ୱିଟର ବିନା ନୋଟିସରେ ଗୋଟିଏ ଆକାଉଣ୍ଟରୁ ବ୍ଲୁଟିକ୍ ହଟାଇ ପାରେ । ବ୍ଲୁ ଭେରିଫାଇଡ୍ ବ୍ୟାଜ୍ ଓ ଭେରିଫାଇଡ୍ ଷ୍ଟାଟସ ହଟାଇବା ପାଇଁ ଟ୍ୱିଟର ନୋଟିସ ଦେବାକୁ ବାଧ୍ୟ ନୁହେଁ । କୌଣସି ଆକାଉଣ୍ଟ ନିଜ ନାମ ବଦଳାଇଲେ କିମ୍ବା ନିଷ୍କ୍ରିୟ ରହିଲେ ଅଥବା ଯଦି ଆକାଉଣ୍ଟ ଅସମ୍ପୂର୍ଣ୍ଣ ରହିଥାଏ ତେବେ ଟ୍ୱିଟର ବ୍ଲୁଟିକ୍ ହଟାଇ ଦେଇଥାଏ ।

କମ୍ପାନୀ ଅନୁସାରେ ବ୍ଲୁ ଟିକ୍ ହଟାଇବା ଅର୍ଥ ହେଉଛି ଆକାଉଣ୍ଟ୍ ଜନହିତ ସହ ଜଡିତ ଓ ଏହା ଏକ ବାସ୍ତବିକ ଆକାଉଣ୍ଟ ।

Leave a Reply