ପ୍ରଥମ ଥର ଟ୍ୱିଟର ପୋଷ୍ଟ କଲା ଏଡିଟେଡ ଟ୍ୱିଟ୍

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଥର ଲାଗି ଟ୍ବିଟର ପୋଷ୍ଟ କଲା ଏଡିଟେଡ ଟ୍ବିଟ । ଏଡିଟ ବଟନ ସମ୍ପର୍କରେ ପରୀକ୍ଷାନିରୀକ୍ଷା କରାଯାଉଛି ବୋଲି ଟ୍ବିଟର ସୂଚନା ଦେବାର କିଛି ସପ୍ତାହ ପରେ ସମ୍ପାଦିତ ଟ୍ବିଟକୁ ପୋଷ୍ଟ କରିଛି ଟ୍ବିଟର । ଟ୍ବିଟର ବ୍ଲୁ ହ୍ୟାଣ୍ଡଲ ନିଜର ଏକ ଟ୍ବିଟରେ କହିଛି- ଏଡିଟ ବଟନ ସୂଚାରୁରୂପେ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୋଇଛି । ଏହି ଟ୍ବିଟରେ ଏକ ପେନସିଲ ଆଇକନ ରହିବା ସହ ଲାଷ୍ଟ ଏଡିଟେଡ ଶୀର୍ଷକ ଏକ ଲେବଲ ରହିଛି ।

କେଉଁ ସମୟରେ ଏହାକୁ ଏଡିଟ କରାଯାଇଛି ତାହା ବି ଦର୍ଶାଯାଇଛି । ପ୍ରଥମ ଥର ଲାଗି ମାଇକ୍ରୋବ୍ଲଗିଂ ସାଇଟ ଏଥିରେ ସଫଳ ହେବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଟ୍ବିଟର ବ୍ଲୁ ୟୁଜରଙ୍କ ଲାଗି ପ୍ରଥମେ ଉପଲବ୍ଧ ହେବ । ଏଡିଟ ବଟନ ବ୍ୟବହାର ଲାଗି ୟୁଜରମାନେ ମାସିକ 4 ଦଶମିକ 99 ଡଲାର ଦେବାକୁ ପଡିବ । ଗତ କିଛିଦିନ ତଳେ ଟ୍ବିଟର କହିଥିଲା ପ୍ରଥମେ କମ୍ପାନିର କର୍ମଚାରୀଙ୍କ ଲାଗି ଏଡିଟ ଟ୍ବିଟ ବ୍ୟବହୃତ ହେବ । ପରେ ଟ୍ବିଟର ବ୍ଲୁ ଗ୍ରାହକଙ୍କ ଲାଗି ଏହା ପ୍ରଯୁଜ୍ୟ ହେବ ।

ଭାରତରେ ଟ୍ବିଟର ବ୍ଳୁ ଆରମ୍ଭ ହୋଇ ନଥିବାବେଳେ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହା ଉପଲବ୍ଧ ରହିଛି । ନୂଆ ବ୍ୟବସ୍ଥା ଅନୁସାରେ ଟ୍ବିଟକୁ ପୋଷ୍ଟ କରିବାର ମାତ୍ର 30 ମିନଟ ମଧ୍ୟରେ କେଇଥର ଏଡିଟିଂ କରାଯାଇପାରିବ । ଏହି ନୂଆ ବ୍ୟବସ୍ଥା ଦ୍ବାରା ୟୁଜର କଣ କହିଛନ୍ତି ଏବଂ ପରେ ଏଥିରେ କି ପରିବର୍ତ୍ତନ କରିଛନ୍ତି ତାହାର ସ୍ବଚ୍ଛତା ରକ୍ଷା କରାଯାଇପାରିବ । ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ବି ସର୍ବସାଧାରଣ ଅବଗତ ହୋଇପାରିବେ ।