ଟ୍ୱିଟର ଛାଡୁଛନ୍ତି ବରିଷ୍ଠ ଅଧିକାରୀ, ବୁଡିଯିବ କି କମ୍ପାନୀ ..

ନନ୍ଦିଘୋଷ ବ୍ୟୁରୋ: ଏଲନ ମସ୍କଙ୍କ ହାତକୁ କମ୍ପାନୀ ମାଲିକାନା ଯିବା ପରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଅନେକ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିଥିବା ବେଳେ ଏବେ ବହୁ ବରିଷ୍ଠ ଅଧିକାରୀ ଇସ୍ତଫା ଦେଉଛନ୍ତି । ବରିଷ୍ଠ ଅଧିକାରୀମାନେ କମ୍ପାନୀ ଛାଡ଼ିବା ଯୋଗୁ ଟୁଇଟର ଦେବାଳିଆ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ମସ୍କ କହିଛନ୍ତି । ଆସନ୍ତାବର୍ଷ କମ୍ପାନୀ ଆରବ ଡଲାରର କ୍ଷତି ସହିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ମସ୍କ ।

ନିକଟରେ ଟୁଇଟରର ମୁଖ୍ୟ ସୁରକ୍ଷା ଅଧିକାରୀ ଓ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ପଦରୁ ଇସ୍ତଫା ଦେଇଥିଲେ । ଏହାଦ୍ବାରା କମ୍ପାନୀର ଆର୍ଥିକ ସ୍ଥିତି ଉପରେ ସଙ୍କଟ ରହିଛି ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରକୁ ମସ୍କ କିଣିବା ପରେ ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।

ଫେକ୍ ଟୁଇଟର ଆକାଉଣ୍ଟକୁ ବନ୍ଦ କରିବାକୁ କମ୍ପାନୀ ଘୋଷଣା କରିଥିବା ବେଳେ ବ୍ଲୁ ଟିଗ୍ ଆକାଉଣ୍ଟକୁ ପ୍ରତିମାସରେ ୮ଡଲାର ଦେବାକୁ ହେବ ବୋଲି କମ୍ପାନୀ ଘୋଷଣା କରିଥିଲା । ଏବେ ବିଜ୍ଞାପନ କମ୍ପାନୀମାନେ ମଧ୍ୟ ଟୁଇଟର ଛାଡୁଥିବାରୁ ପ୍ରତିଦିନ ପ୍ରାୟ ୪ ମିଲିୟନ ଡଲାରର କ୍ଷତି ସହୁଛି କମ୍ପାନୀ ।