ଯେତେ ବୁଝାଇଲେ ବି ବୁଝୁ ନାହାନ୍ତି, କ୍ୱାରେଣ୍ଟାଇନରୁ ଫେରାର ହେଲେ ୨୫ ଶ୍ରମିକ

କଳାହାଣ୍ଡି: ଦିନ ବଢିବା ସହ ଦେଶରେ ବଢୁଛି କରୋନା ସଂକ୍ରମିତିଙ୍କ ସଂଖ୍ୟା ଏଥିରୁ ବର୍ତ୍ତିପାରି ନାହିଁ ରାଜ୍ୟ । ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି । କରୋନାକୁ ହରାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିବା ବେଳେ କେତେଜଣ ଅମାନିଆଙ୍କ ପାଇଁ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ବାହାର ରାଜ୍ୟରୁ ଆସୁଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ କେତକ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଫେରାର ହେଉଛନ୍ତି । ଏମିତି ଏକ ଘଟଣା କଳାହାଣ୍ଡିରୁ ଆସିଛି ।

କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଫେରାର୍ ହୋଇଛନ୍ତି ୨୫ଜଣ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଆମପାଣି ଜନଜାତି ଆବାସିକ ବିଦ୍ୟାଳୟରେ କରାଯାଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୨୫ଜଣ କେଉଁଆଡ଼େ ପଳାଇଯାଇଛନ୍ତି । ରାଜ୍ୟ ଓ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କୁ ଏହି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖିବା ବ୍ୟବସ୍ଥା କରାଯାଇଛି । ଫେରାର ଶ୍ରମିକମାନେ ଫୁଲବାଣୀରୁ ନବରଙ୍ଗପୁର ଫେରିବା ବାଟରେ ପ୍ରଶାସନ ସେମାନଙ୍କୁ ଆମପାଣି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖିଥିଲା । ୨୫ ଜଣ ଫେରାର ହେବା ନେଇ ପ୍ରଶାସନିକ ଅଧିକାରୀ ତଦନ୍ତ କରୁଛନ୍ତି ।

ଅନ୍ୟପଟେ ରାୟଗଡାରେ ମଧ୍ୟ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ୧୯ଜଣ ଶ୍ରମିକ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଫେରାର ହୋଇଯାଇଛନ୍ତି । ରାୟଗଡ଼ାର କେରଡା ସ୍କୁଲରେ ରହିଥିବା ପଞ୍ଜାବର ୧୭ ଜଣ ଓ ଉତ୍ତରପ୍ରଦେଶର ଦୁଇ ଜଣ ଗତକାଲି ରାତିରେ ସ୍କୁଲ ଘର ଝରକା ଭାଙ୍ଗି ଫେରାର ହେଇଯାଇଛନ୍ତି । ଗତ ୩୦ତାରିଖରୁ ସମସ୍ତେ କେରେଡା ସ୍କୁଲର କ୍ୱାରେଣ୍ଟାଇନରେ ଥିଲେ ।

Leave a Reply